କରୋନା ଯୋଦ୍ଧାମାନଙ୍କୁ ଅଭିବାଦନ ପ୍ରଦାନ ପୂର୍ବକ ସୋଆର ୭୪ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର, ୧୫/୦୮: ଶିକ୍ଷା ଓ ଅନୁସନ୍ଧାନ ଅନୁମତିପ୍ରାପ୍ତ ସୋଆ ବିଶ୍ୱବିଦ୍ୟାଳୟଠାରେ ଉପକୁଳପତି ପ୍ରାଧ୍ୟାପକ ଅଶୋକ କୁମାର ମହାପାତ୍ରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରି ୭୪ତମ ସ୍ୱାଧୀନତା ଦିବସ ପାଳନ  କରାଯାଇଛି। ମେଘୁଆ ପାଗରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ଶ୍ରୀ ମହାପାତ୍ର ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ  ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ । ସଂଗ୍ରାମୀମାନଙ୍କର ବୀରତ୍ୱ, ସାହସିକତାପୂର୍ଣ୍ଣ ନିଃସ୍ୱାର୍ଥପର ସଂଗ୍ରାମର ପ୍ରତିବଦଳରେ ଆମେ ବ୍ରଟିଶ୍‌ ଉପନିବେଶବାଦରୁ ମୁକ୍ତି ଲାଭ କରିପାରିଲେ ବୋଲି ସେ ପ୍ରକାଶ  କରିଥିଲେ।  ଏହି ଅବସରରେ ଚିକିତ୍ସକ, ଉପଚାରିକା, ସୁରକ୍ଷାକର୍ମୀ ଓ ଅନ୍ୟ ସମସ୍ତ କରୋନା ଯୋଦ୍ଧାମାନଙ୍କର ସେବା ନିମନ୍ତେ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ ।
କୋଭିଡ-୧୯ ବିରୁଦ୍ଧରେ ଯୁଦ୍ଧ ଜାରି ରହିଛି ଏବଂ ଏହି ମହମାରୀରୁ ମୁକ୍ତି ପାଇବା ପାଇଁ ଆମ୍ଭର ସମସ୍ତ ସାମର୍ଥ୍ୟକୁ ବିନିଯୋଗ କରିବାକୁ ହେବ ବୋଲି ପ୍ରାଧ୍ୟାପକ ମହାପାତ୍ର ମତ ବ୍ୟକ୍ତ କରିଥିଲେ ।
ସରକାରଙ୍କ ତରଫରୁ ନିର୍ଦ୍ଧାରିତ ସମସ୍ତ ଗାଇଡ୍‌ଲାଇନ୍‌କୁ ଅକ୍ଷରେ ଅକ୍ଷରେ ଏହି ଉତ୍ସବରେ ପାଳନ କରାଯାଇଥିଲା ଏବଂ ଏଥିରେ ସୋଆର ଆଡ଼ଭାଇଜରୀ ବୋର୍ଡ ଅଧ୍ୟକ୍ଷ ଦାମୋଦର ଆଚାର୍ଯ୍ୟ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ  ଯୋଗଦାନ କରିଥିଲେ ।
ଏଠାରେ ପ୍ରକାଶଯୋଗ୍ୟ ଯେ, ସୋଆ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ଅନ୍ୟ ୯ଟି ଇନ୍‌ଷ୍ଟିଚ୍ୟୁସନରେ ପୃଥକ୍‌ ଭାବରେ ପତାକା ଉତ୍ତୋଳନ ଉତ୍ସବର ଆୟୋଜନ କରାଯାଇଥିଲା ।

Spread the love