ସୋଆରେ ଲେଖା ସମ୍ପାଦନା ଉପରେ ୫-ଦିନିଆ କର୍ମଶାଳା ଆରମ୍ଭ
ଭୁବନେଶ୍ୱର, ଏପ୍ରିଲ ୨୩ : ପୁରାତନ ଓଡ଼ିଆ ପୋଥିଗୁଡ଼ିକର ଲେଖା ସମ୍ପାଦନା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଠାରେ ବୁଧବାର ଏକ ୫-ଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି । ଏହି କର୍ମଶାଳାରେ ଲେଖା ସମ୍ପାଦନାରେ ଦକ୍ଷତା ବୃଦ୍ଧି ପାଇଁ ୧୫ ଜଣ ଗବେଷକଙ୍କୁ ତାଲିମ ଦିଆଯିବ । ସୋଆ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୫ ଜଣ ଗବେଷକ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଲୋଚକ ଓ ଅନୁବାଦକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଯୋଗ ଦେଇ କହିଥିଲେ ଯେ ପୁରାତନ ଓଡ଼ିଆ ପୋଥିଗୁଡ଼ିକୁ ପଢ଼ି ସେଗୁଡ଼ିକ ଉଦ୍ଧାର କରିବା ନିମନ୍ତେ ଦକ୍ଷତା ଆବଶ୍ୟକ । ମାତ୍ର ଏ ବିଷୟରେ ଓଡ଼ିଶାର କୈଣସି ବିଶ୍ୱବିଦ୍ୟାଳୟରେ ଶିକ୍ଷା ଦିଆଯାଉ ନାହିଁ । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି କର୍ମଶାଳା ଆୟୋଜନ ଏକ ସମୟପୋଯୋଗୀ ପଦକ୍ଷେପ ବୋଲି ସେ କହିଥିଲେ ।
ଏହି କର୍ମଶାଳାକୁ ସୋଆ ପରିଚାଳିତ ସେଂଟର ଫର ପ୍ରୋପାଗେସନ୍, ପ୍ରିଜରଭେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ଦ୍ୱାରା ଆୟୋଜନ କରାଯାଇଛି । ଏହି କ୍ଷେତ୍ରରେ ବିଶେଷ ପାରଦର୍ଶିତା ଥିବା ତିନି ଜଣ ବିଶେଷଜ୍ଞ ପ୍ରଫେସର ଗୌରାଙ୍ଗ ଚରଣ ଦାଶ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଓ ପ୍ରଫେସର ସନ୍ତୋଷ କୁମାର ରଥ କର୍ମଶାଳାରେ ଯୋଗ ଦେଇଥିବା ଗବେଷକମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି । ପ୍ରାଚୀନ ପକ୍ଷରୁ ବର୍ତମାନ ସାରୋଳଦାସ ମହାଭାରଥର ସମ୍ପାଦନା କାର୍ଯ୍ୟ ଜାରି ରହିଛି । ସମ୍ପାଦକମାନଙ୍କୁ ତାଲିମ ଦେଇ ଦକ୍ଷତା ବୃଦ୍ଧି କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା କହିଥିଲେ ଯେ ଏ ପର୍ଯ୍ୟନ୍ତ ଓଡ଼ିଶାରେ ଏହି ଧରଣର କର୍ମଶାଳା ଆୟୋଜିତ ହୋଇ ନଥିଲା । ପ୍ରଫେସର ଗୌରାଙ୍ଗ ଚରଣ ଦାଶ କର୍ମଶାଳାର ପୃଷ୍ଠଭୂମି ବିଷୟରେ ବକ୍ତବ୍ୟ ରଖିଥିଲେ । ଉଦ୍ଘାଟନ କାର୍ଯ୍ୟକ୍ରମକୁ ଡ. ନିହାର ରଞ୍ଜନ ମିଶ୍ର ଓ ଶ୍ରୀ ଜୀବନ କୁମାର ପଣ୍ଡା ପରିଚାଳନା କରିଥିଲେ ।