ସୋଆ ଏନ୍‌ଏସ୍‌ଏସ୍ ତରଫରୁ ବନ୍ୟା ବିପନ୍ନ ଅଞ୍ଚଳରେ ରିଲିଫ୍‌ ବଣ୍ଟନ, ୧୦ ଜଣିଆ ଟିମ୍ ବାଣ୍ଟିଲେ ଶୁଖିଲା ଖାଦ୍ୟ

ଭୁବନେଶ୍ୱର, ୨୭/୦୮: ଶିକ୍ଷା ଓ ଅନୁସନ୍ଧାନ ( ସୋଆ)ର ଏନ୍‌.ଏସ୍‌.ଏସ୍ ଶାଖା ପକ୍ଷରୁ ଗୁରୁବାର ଦିନ ବନ୍ୟା ପ୍ରପୀଡିତମାନଙ୍କୁ ରିଲିଫ୍ ବଣ୍ଟନ କରାଯାଇଛି । ସୋଆର ଛାତ୍ରଛାତ୍ରୀ ଓ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଥିବା ବେଳେ ଏହି ଟିମ୍ ଖୋର୍ଦ୍ଧା ଜିଲ୍ଲାର ଶରଧାପୁର ଗ୍ରାମକୁ ଯାଇ ରିଲିଫ୍ ବଣ୍ଟନ କରିଥିଲେ । ଚୁଡା, ଚିନି, ବିସ୍କୁଟ, ମଶାଧୂପ, ଦିଆସିଲି, ମହମବତୀ ପ୍ରଭୃତି ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ନେଇ ୩୦୦-୩୫୦ ପ୍ୟାକେଟ କରାଯାଇଥିଲା ।

ମହାନଦୀର ପ୍ରଳୟଙ୍କରୀ ବନ୍ୟା କାଜୁଆ ଘାଇ ଭାଙ୍ଗି ଏହି ଗ୍ରାମକୁ କ୍ଷତିଗ୍ରସ୍ତ କରିଦେଇଛି । ସେଠାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଡଙ୍ଗା ମାଧ୍ୟମରେ ଏନ୍‌ଏସ୍‌ଏସ୍ ଟିମ୍ ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲା । ସେଠାରେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ ସହିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ତରଫରୁ ଆସିଥିବା ଔଷଧ ମଧ୍ୟ ବଂଟନ କରାଯାଇଥିଲା । ଏହି ଟିମ୍‌ରେ ସୋଆ ଏନ୍‌ଏସ୍‌ଏସ୍‌ର ପ୍ରୋଗାମ ଅଫିସର କନକଲତା ଓଝା ଓ ସମ୍ ହସ୍ପିଟାଲ୍ ପକ୍ଷରୁ ଜୁନିୟର ହସ୍ପିଟାଲ୍ ଆଡ଼ମିନିଷ୍ଟ୍ରେଟର୍ ସାଗର କୁମାର ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ । ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love