ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲିଙ୍ଗରାଜ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଉଚ୍ଚ ସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ ଘୋଷଣା କରିଛନ୍ତି।

ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୬୬ ଏକର ପରିବ୍ୟାପ୍ତ ଏକାମ୍ରକ୍ଷେତ୍ର ଯୋଜନା ଆରମ୍ଭ ହେବ। ଏହାସହ ୯ଟି ପ୍ରକଳ୍ପ ଯୋଜନା ଆରମ୍ଭ କରାଯିବ। ସୁଦୃଶ୍ୟ ପ୍ରବେଶପଥ, ବିନ୍ଦୁସାଗର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଲିଙ୍ଗରାଜ ଥାନା ଓ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ଅଫିସ୍‌ ସ୍ଥାନାନ୍ତର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଟ୍ରାଫିକ୍‌ ସମସ୍ୟା ହ୍ରାସ ପାଇଁ ତାଳେଶ୍ୱର ଛକରୁ ବଢ଼େଇବାଙ୍କ ଯାଏଁ ରାସ୍ତା ନିର୍ମାଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଚାରିଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରିବାକୁ ମଧ୍ୟ ସରକାର ଘୋଷଣା କରିଛନ୍ତି। ଭକ୍ତମାନେ ଲିଙ୍ଗରାଜ ମନ୍ଦିର ଚାରିପାଖ ପରିକ୍ରମା ପାଇଁ ରାସ୍ତା ନିର୍ମାଣ ହେବ ବୋଲି ପ୍ୟାକେଜରେ ରହିଛି।

ଜୀବିକା ହରାଉଥିବା ଉଠା ଦୋକାନୀଙ୍କୁ ଦୁଇଟି କିସ୍ତିରେ ୩୦ ହଜାର ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଭେଣ୍ଡିଂ ଜୋନ୍‌ କରାଯାଇ ଉଠା ଦୋକାନୀମାନଙ୍କୁ ଥଇଥାନ କରାଯିବ। ପକ୍କା ଘର ଦୋକାନୀଙ୍କୁ ୧୨ ମାସ ଯାଏଁ ୧୦ ହଜାର ଟଙ୍କା ମିଳିବ। ସ୍ଥିତିବାନ୍‌, ଆବାସିକ ଗୃହ ଉଚ୍ଛେଦ ପାଇଁ ଆଲୋଚନା ଦ୍ୱାରା କ୍ଷତିପୂରଣ ଦିଆଯିବ।ବିନ୍ଦୁ ସାଗର ଜଳ ପରିଷ୍କାର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ। କେଦାରଗୌରୀ, ପାପନାସିନୀ ଆଦି ପୁଷ୍କରିଣୀର ପୁନରୁଦ୍ଧାର ହେବ।

 

Spread the love