ସମାଜସେବୀ ଦେବେନ୍ଦ୍ର ସାହୁଙ୍କ ପରଲୋକ
ପିପିଲି: ପିପିଲି ଅଞ୍ଚଳର ଜଣେ ମୁରବୀ ଭାବେ ସ୍ୱତନ୍ତ୍ର ପରିଚୟ ପାଇଥିବା ସମାଜସେବୀ ଦେବେନ୍ଦ୍ର ସାହୁଙ୍କର ୭୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ପରଲୋକ ଘଟିଛି। ଓଡିଶାର ସୁନାମଧନ୍ୟ ନାଟ୍ୟଗୁରୁ ସ୍ୱର୍ଗତ କାଶୀନାଥ ସାହୁଙ୍କର ସେ ଜ୍ୟେଷ୍ଠପୁତ୍ର ଥିଲେ। ପିପିଲି ସ୍ଥିତ ଶ୍ରୀମା ଅରବିନ୍ଦ ଆଶ୍ରମର ସେ ପ୍ରତିଷ୍ଠାତା ସଭାପତି ହୋଇଥିବା ବେଳେ ପିପିଲି ସାଂସ୍କୃତିକ ପରିଷଦର ପ୍ରତିଷ୍ଠାତା ସଦସ୍ୟ ଥିଲେ। ପିପିଲି ଓ ଏହାର ଆଖପାଖ ଅଞ୍ଚଳର ଶତାଧିକ ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ଥିଲେ। ପିପିଲି ଅଞ୍ଚଳରେ ପ୍ରଥମେ କରତକଳ, ଧାନକଳ, ଅଟାକଳ, ତେଲକଳ, ଚଳଚ୍ଚିତ୍ର ପ୍ରେକ୍ଷାଳୟ ଆଦି ପ୍ରତିଷ୍ଠା କରି ସେ ଅଞ୍ଚଳବାସୀଙ୍କୁ ସେବା ଯୋଗାଇବା ସହ ସର୍ବଦା ସମାଜସେବାରେ ବ୍ରତୀ ଥିଲେ।
ପିପିଲିର ସର୍ବପୁରାତନ ଚଳଚ୍ଚିତ୍ର ପ୍ରେକ୍ଷାଳୟ ‘ବିଜୟାଶ୍ରୀ ଟକିଜ’ର ସେ ମାଲିକ ହୋଇଥିବା ବେଳେ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ବିକାଶରେ ତାଙ୍କର ସ୍ୱତନ୍ତ୍ର ଅବଦାନ ଥିଲା। ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସେ ସର୍ବଦା ସାହାର୍ଯ୍ୟର ହାତ ବଢାଉଥିଲେ। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଭାଇ ବୋଲି ସମ୍ବୋଧନ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ସେ ‘ଚକୋଲେଟ୍ ମ୍ୟାନ୍’ ଭାବେ ପରିଚିତ ଥିଲେ। ସ୍ଥାନୀୟ ଜବାହର ବିଦ୍ୟାପୀଠର ସେ ପ୍ରଥମବର୍ଷର ମାଟ୍ରିକପାସ୍ ଛାତ୍ର ଥିଲେ। ଜଣେ ଉଚ୍ଚକୋଟିର ମେଳାପି, ମ୍ରିଭାଷି, ସ୍ନେହୀ ପରୋପକାରୀ ମଣିଷ ଭାବେ ସେ ସମଗ୍ର ଅଞ୍ଚଳରେ ଖ୍ୟାତି ଅର୍ଜ୍ଜନ କରିଥିଲେ। ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପିପିଲି ସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏକ ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ଦୁଇପୁଅ ଆଶିଷ ଓ ଅରବିନ୍ଦ ମୁଖାଗ୍ନି ଦେଇଥିଲେ।