ସୌମ୍ୟରଞ୍ଜନ କହିଲେ ଦିଆଯାଇଥିବା ଦାୟିତ୍ୱ ସଠିକ ଭାବେ ତୁଲାଇ ପାରି ନଥିଲି, ତେଣୁ ପ୍ରତାପ ଜେନାଙ୍କୁ ମିଳିଲା ଦାୟିତ୍ବ

୨୦୨୪ ପାଇଁ କସରତ । ଅଣ୍ଟା ଭିଡ଼ିଲା ବିଜେଡି । ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଦଳବଦଳ । ୬ ବରିଷ୍ଠ ନେତାଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ । ଦଳ ଜାରି କରିଥିବା ନୂଆ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ତାଲିକାରେ ଅଛନ୍ତି ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରସନ୍ନ ଆଚାର୍ଯ୍ୟ, ମହେଶ୍ୱର ମହାନ୍ତି, ପ୍ରମିଳା ମଲ୍ଲିକ ଓ ପ୍ରତାପ ଜେନା । ୨୦୨୧ରେ ବିଜେଡି ପକ୍ଷରୁ ୬ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିଲା । ଏବେ ବାଦ୍‌ ପଡ଼ିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବିକ୍ରମ କେଶରୀ ଆରୁଖ । ପୂର୍ବରୁ ସୌମ୍ୟରଞ୍ଜନଙ୍କୁ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଥିଲା। ତାଙ୍କ ସ୍ଥାନରେ ପ୍ରତାପ ଜେନାଙ୍କୁ ଏବେ ସେହି ଦାୟିତ୍ୱ ଦିଆଯାଇଛି। ସେହିପରି ବିକ୍ରମ କେଶରୀ ଆରୁଖଙ୍କୁ ଦିଆଯାଇଥିବା ଜିଲ୍ଲାଗୁଡ଼ିକର ଦାୟିତ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଛି। ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ସଠିକ ଭାବେ ତୁଲାଇ ପାରି ନଥିବା କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ଜବରଦସ୍ତ ସଫଳତା ମିଳିଥିଲା। ୩୦ଟି ଯାକ ଜିଲ୍ଲା ପରିଷଦ ଗଠନ କରିଥିଲା ଦଳ । ପରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଜିଲ୍ଲା ୱାରୀ ସମୀକ୍ଷା କରିଥିଲେ ସୁପ୍ରିମୋ। ଜିଲ୍ଲା ୱାରୀ ପର୍ଯ୍ୟବେକ୍ଷକଙ୍କ ପ୍ରଦର୍ଶନକୁ ଆଧାର କରି ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ। ସେମାନଙ୍କ ମଧ୍ୟରେ ପ୍ରୀତିରଞ୍ଜନ ଘଡ଼େଇ,ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ ପ୍ରମୁଖ ରହିଛନ୍ତି। ଏବେ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା ପରେ ସମସ୍ତଙ୍କର ନଜର ରହିଛି ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ତାଲିକା ଉପରେ।ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଥିବା ପଶ୍ଚିମଓଡ଼ିଶାର ହେଭିୱେଟ୍‌ ନେତା ସୁଶାନ୍ତ ସିଂଙ୍କୁ ଦଳ କେଉଁ ଦାୟିତ୍ୱ ଦେବ ତାକୁ ଅପେକ୍ଷା।

Spread the love