ମା’ଙ୍କ ପରେ ବାପାଙ୍କ ଅଙ୍ଗଦାନ କଲେ ପୁଅ; ଫ୍ରେଣ୍ଡସ୍‌ ହେଲ୍ପିଂ କ୍ଲବ୍‌ ସହଯୋଗରେ ଚକ୍ଷୁଦାନ

ବ୍ରହ୍ମପୁର: ଏମ୍‌କେସିଜି ବଡ଼ଡାକ୍ତରଖାନାକୁ ଆଜି ଗୋଟିଏ ଦିନରେ ଦୁଇଜଣଙ୍କ ଅଙ୍ଗଦାନ କରାଯାଇଛି। ମୃତ୍ୟୁ ପରେ ବଡ଼ଡାକ୍ତରଖାନା ଚକ୍ଷୁ ବିଭାଗକୁ ଜଣେ ବୃଦ୍ଧାଙ୍କ ଚକ୍ଷୁଦାନ କରାଯାଇଛି। ସେହିପରି ଡାକ୍ତରୀ ଛାତ୍ରଙ୍କ ପାଠପଢ଼ା ସହିତ ଗବେଷଣା ପାଇଁ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌କୁ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମର ଶରୀର ଦାନ କରାଯାଇଛି। ବାପାଙ୍କ ଇଚ୍ଛା ପୂରଣ ପାଇଁ ପୁଅ ଓ ପରିବାରବର୍ଗ ମେଡିକାଲ କଲେଜକୁ ମର ଶରୀର ଦାନ କରିଛନ୍ତି।

ଚିକିଟିପେଣ୍ଠ ନିବାସୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ସାହୁ(୭୭) ଅସୁସ୍ଥତା କାରଣ ଯୋଗୁଁ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ତାଙ୍କର ବିୟୋଗ ପରେ ପରିବାରବର୍ଗଙ୍କ ସହମତି କ୍ରମେ ମର ଶରୀରକୁ ଏମ୍‌କେସିଜି ମେଡିକାଲ କଲେଜକୁ ଦାନ କରାଯାଇଛି। ଆନାଟୋମି ବିଭାଗର ଡାକ୍ତର ମର ଶରୀର ଗ୍ରହଣ କରିଛନ୍ତି। ସ୍ୱର୍ଗତ ସାହୁ ପ୍ରଧାନଶିକ୍ଷକ ଭାବେ ଅବସର ପରେ ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରିଥିଲେ। ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଦୂରେଇବା ପାଇଁ ସମାଜରେ ସଚେତନତାର ବାର୍ତ୍ତା ପ୍ରଚାର କରି ଆସୁଥିଲେ। ସେ ୨୦୧୭ ମସିହାରେ ନିଜ ସ୍ତ୍ରୀଙ୍କ ମର ଶରୀର ଏମକେସିଜି ମେଡିକାଲ କଲେଜକୁ ଗବେଷଣା ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଗତ କିଛିଦିନ ଧରି ଶ୍ରୀ ସାହୁ ବଡ଼ଡାକ୍ତରଖାନା ଆଇସିୟୁରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁପରେ ଶରୀର ଦାନ କରିବାକୁ ସେ ପୂର୍ବରୁ ପରିବାର ସଦସ୍ୟଙ୍କୁ କହିଥିଲେ। ତାଙ୍କର ମୃତ୍ୟୁ ପରେ ପରିବାର ଲୋକଙ୍କ ସହମତି କ୍ରମେ ଆଜି ଅପରାହ୍‌ଣରେ ମର ଶରୀର ମେଡିକାଲ କଲେଜକୁ ଦାନ କରାଯାଇଛି। ଶରୀର ଦାନ ସମୟରେ ଏମକେସିଜି ଆନାଟୋମି ବିଭାଗର ଡା. ପ୍ରୀତମ୍‌ ପ୍ରତ୍ୟୁଷ ଦାସ, ଡା. ସନ୍ତୋଷ ତନ୍ମୟ ମହାପାତ୍ର, ସୋନାକ୍ଷୀ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହା ସହିତ ସ୍ୱର୍ଗତ ସାହୁଙ୍କ ପୁଅ ରବି କୁମାର ସାହୁ, ଦୁଇ ଝିଅ ଗାୟିତ୍ରୀ ଓ ଇତିଶ୍ରୀ, ନାତୁଣୀ ଆଶା ଭାରତୀ ଓ ଇଶା ସାହୁ, ନାତି ଆଶୁତୋଷ ଭରତ କୁମାର ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ମହାନ୍‌ ସଂଘ ସଭାପତି ସୁଶାନ୍ତ ସାବତଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। ମାନବବାଦୀ ହେତୁବାଦୀ ସଂଗଠନର ଗଞ୍ଜାମ ଜିଲ୍ଲା ସଭାପତି ଇ. ଟି. ରାଓ, ଜାମୁଲା ସୁରେଶ, ପ୍ରତାପ ପ୍ରଧାନ ଓ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଫ୍ରେଣ୍ଡସ୍‌ ହେଲ୍ପିଂ କ୍ଲବର ପୂର୍ବତନ ସଭାପତି କେ. ପୁରୁ‌ଷୋତ୍ତମ ସୁବୁଦ୍ଧି, ପି. କିରଣ କୁମାର ପ୍ରମୁଖ ଉପସ୍ଥିତ ରହି ପରିବାରବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସେହିପରି ଫ୍ରେଣ୍ଡସ୍‌ ହେଲ୍ପିଂ କ୍ଲବ୍‌ର ସହଯୋଗରେ ଏକ ଚକ୍ଷୁଦାନ କରାଯାଇଛି। ପୁରୁଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ମିଲିଟାରି ଲାଇନ୍‌ରେ ରହୁଥିବା ଚିନାରି ଟି. ଆମ୍ମା(୮୮)ଙ୍କ ଗତକାଲି ବିଳମ୍ବିତ ରାତିରେ ବିୟୋଗ ଘଟିଥିଲା। ପରିବାରବର୍ଗଙ୍କ ସହମତି କ୍ରମେ ସ୍ବର୍ଗତ ଆମ୍ମାଙ୍କ ଚକ୍ଷୁ ବଡ଼ଡାକ୍ତରଖାନାକୁ ଦାନ କରାଯାଇଛି। ଡା. ଶୁଭଶ୍ରୀ ସାହୁ ଓ ଡା. ସସ୍ମିତା ପଣ୍ଡା ଚକ୍ଷୁ ସଂଗ୍ରହ କରିଥିଲେ। ସ୍ବର୍ଗତ ଆମ୍ମା ହେଉଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘ ସଭାପତି ସି.ଏଚ୍‌ ରବୀନ୍ଦ୍ରନାଥଙ୍କ ମାତା। ମୃତ୍ୟୁ ଶଯ୍ୟା ନିକଟରେ ଦୁଇପୁଅ ରବୀନ୍ଦ୍ରନାଥ, ଗୋବିନ୍ଦ ରାଜୁଲୁ ଓ ଝିଅ ଗୀତାଞ୍ଜଳି ଉପସ୍ଥିତ ଥିଲେ। ଚକ୍ଷୁଦାନ ଭଳି ଏକ ମହତ୍‌ କାର୍ଯ୍ୟ କରି ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଦୁନିଆ ଦେଖିବାର ସୁଯୋଗ ପ୍ରଦାନ କରିଥିବାରୁ କ୍ଲବ୍‌ ତରଫରୁ ସ୍ବର୍ଗତ ଆମ୍ମାଙ୍କ ପରିବାରବର୍ଗଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। କ୍ଲବ୍‌ ତରଫରୁ ଜେ. ସୁରେଶ ଉପସ୍ଥିତ ଥିଲେ। କ୍ଲବ୍‌ର ସହଯୋଗରେ ଚଳିତ ବର୍ଷ ୧୩ତମ ଚକ୍ଷୁଦାନ କରାଯାଇଥିବା ଶ୍ରୀ ସୁରେଶ ସୂଚନା ଦେଇଛନ୍ତି।

Spread the love