ପୁଅର ହାତୁଡ଼ି ମାଡ଼ରେ ବାପର ମୃତ୍ୟୁ

ଦାନଗଦୀ: କଳିଙ୍ଗନଗର ଥାନା ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତ ବଜ୍ରପଲ୍ଲି ଗ୍ରାମରେ ପୁଅର ହାତୁଡ଼ି ମାଡ଼ରେ ବାପର ମୃତ୍ୟୁ ହୋଇଛି। ମୃତକ ଏହି ଗ୍ରାମର ଭରତ ପରିଡ଼ା(୭୫)। ଅଭିଯୁକ୍ତ ପୁଅ ଅର୍ଜୁନ ପରିଡ଼ା(୩୫) ଫେରାର ହୋଇଯାଇଛି। ଆଜି ରାତିରେ କୌଣସି କାରଣକୁ ନେଇ ଅଭିଯୁକ୍ତ ଅର୍ଜୁନ ଭରତଙ୍କୁ ପାଟିତୁଣ୍ଡ କରିଥିଲା। ପରେ ଉତ୍‌କ୍ଷିପ୍ତ ହୋଇ ଏକ ହାତୁଡ଼ିରେ ଭରତଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଭରତଙ୍କର ମୃତ୍ୟୁ ହୋଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାପର ମୃତଦେହ ପଡ଼ି ରହିଥିବା ବ‌େଳେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ସୂଚନା ଅନୁଯାୟୀ, ଭରତଙ୍କ ତିନିପୁଅ ମଧ୍ୟରୁ ଅର୍ଜୁନ ମଝିଆଁ। ବଡ଼ପୁଅ କେନ୍ଦୁଝରରେ ରହୁଥିବା ବ‌େଳେ ଅର୍ଜୁନ ଓ ସାନପୁଅ ବାପା ପାଖରେ ରହୁଥିଲେ। ଆଜି ସାନପୁଅ ଅନୁପସ୍ଥିତ ଥିବା ବ‌େଳେ କୌଣସି କାରଣକୁ ନେଇ ଭରତ ଓ ଅର୍ଜୁନ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଫଳରେ ଅଭିଯୁକ୍ତ ବାପାକୁ ଏକ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିଲା। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ କଳିଙ୍ଗନଗର ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବ‌େଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି କଳିଙ୍ଗନଗର ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Spread the love