‘ମହିଳା ସଶକ୍ତୀକରଣ’ ପରିବର୍ତେ ‘ମାଇଣ୍ଡଫ୍ରେସ’କୁ ଗୁରୁତ୍ୱ ଦେଉଛନ୍ତି ବିଜେଡିର ନେତାମାନେ: ସୋନାଲୀ ସାହୁ

ଭୁବନେଶ୍ୱର,ତା.୧୭/୧୦: କେନ୍ଦ୍ରରେ ମୋଦି ସରକାର ମହିଳାମାନଙ୍କର ସୁରକ୍ଷା, ସମ୍ମାନ, ସ୍ୱାଭିମାନ, ଅଧିକାର ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଆସୁଥିଲାବେଳେ ରାଜ୍ୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଓଡିଶାରେ ମହିଳାମାନଙ୍କର ସଶକ୍ତୀକରଣ ପରିବର୍ତେ ବିଜେଡିର ନେତାମାନେ ମାଇଣ୍ଡଫ୍ରେସକୁ ବେଶି ଗୁରୁତ୍ୱ ଦେଉଥିବାର ଦେଖାଦେଉଛି । ଓଡିଶା ପ୍ରଦେଶ ମହିଳାମାନଙ୍କ ପାଇଁ ଏକ ଅସୁରକ୍ଷିତ ରାଜ୍ୟ ବୋଲି ପରିଗଣିତ ହୋଇସାରିଛି । ରାଜ୍ୟ ସରକାର ମହିଳାମାନଙ୍କର ସୁରକ୍ଷା ସମ୍ମାନ ସ୍ୱାଭିମାନକୁ ପାଦ ତଳେ ଚାପିଦେବାର ନଜିର ଆସୁଛି । ଗୋଟିଏ ପଟେ ବିଜୁ ଜନତା ଦଳର ସୁପ୍ରିମୋ ମହିଳାମାନଙ୍କ ପ୍ରତି ଘଟୁଥିବା ହିଂସା ଓ ନିର୍ଯ୍ୟାତନା କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଆପଣେଇବା କଥା କହୁଥିଲାବେଳେ ଅନ୍ୟପଟେ ବିଜୁ ଜନତା ଦଳର ଯେଉଁ ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦ ମାନେ ମହିଳା ନିର୍ଯ୍ୟାତନା ଏବଂ ହିଂସାରେ ସଂପୃକ୍ତ ଅଛନ୍ତି ସମାନଙ୍କ ବିରୁଦ୍ଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଧର୍ମକୁ ଆଖିଠାର ସଦୃଶ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ କହିଛନ୍ତି ।

ଏକ ପ୍ରେସ୍ ବାର୍ତା ଜରିଆରେ ଶ୍ରୀମତୀ ସାହୁ କହିଛନ୍ତି ଯେ, କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ନିମାପଡା ବିଧାୟକ ଶ୍ରୀ ସମୀର ଦାଶ ତାଙ୍କ ଦଳର ଜଣେ ମହିଳା କାର୍ଯ୍ୟକର୍ତାଙ୍କୁ ମାଇଣ୍ଡଫ୍ରେସ୍ ପାଇଁ ଭୁବନେଶ୍ୱରକୁ ଡକେଇବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଓ ଘୃଣ୍ୟ ମାନସିକତା । ପୂର୍ବରୁ ଶ୍ରୀ ଦାଶ ଧର୍ମେନ୍ଦ୍ର ସାହୁଙ୍କ ଅପମୃତ୍ୟୁରେ ସଂପୃକ୍ତ ଥିବା କଥା ସ୍ୱର୍ଗତଃ ସାହୁଙ୍କ ଧର୍ମପତ୍ନୀ ସ୍ପଷ୍ଟ କରିଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଯାହାଫଳରେ ଶ୍ରୀ ଦାଶ ପୁନର୍ବାର ଜଣେ ଭଦ୍ର ମହିଳାଙ୍କ ପ୍ରତି ଏଭଳି ବ୍ୟବହାର ପ୍ରଦର୍ଶନ କରିବାକୁ ସାହାସ କଲେ । ଖାଲି ସେତିକି ନୁହେଁ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ତାଙ୍କ ଦଳର ମହିଳା କାର୍ଯ୍ୟକର୍ତା ସଂଯୁକ୍ତା ମହଲା ସାଂଘାତିକ ଅଭିଯୋଗ ଆଣିଥିଲେ ମଧ୍ୟ ଶ୍ରୀ ସାହୁଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇନଥିଲା । ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ ହୁଅନ୍ତୁ କି ପୂର୍ବତନ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ହୁଅନ୍ତୁ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ ହୁଅନ୍ତୁ କି ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀ ହୁଅନ୍ତୁ, ତାଳଚେର ବିଧାୟକ ହୁଅନ୍ତୁ କି ଜୟଦେବ ବିଧାୟକ ହୁଅନ୍ତୁ, ଏମାନଙ୍କ ବିରୁଦ୍ଧରେ ମହିଳା ଅସଦାଚରଣ, ମହିଳା ନିର୍ଯାତନା ଅଭିଯୋଗ ଥିଲେ ମଧ୍ୟ ଏମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ବିଜୁ ଜନତା ଦଳର ମହିଳା ସମ୍ମାନ ନାରା ଏକ ପ୍ରହସନରେ ପରିଣତ ହୋଇଛି ।
ସେହିପରି ଅତୀତରେ ଯାଜପୁର ବିଜେଡି କାର୍ଯ୍ୟାଳୟରେ ଜଣେ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଉକ୍ତ ମହିଳାଙ୍କୁ ମାଇଣ୍ଡଫ୍ରେସ୍ ପାଇଁ ବାଧ୍ୟ କରାଯାଇଥିଲା । ଏ ସମସ୍ତ ଘଟଣାରୁ ଜଣାପଡୁଛି ଯେ, ବିଜୁ ଜନତା ଦଳର ସୁପ୍ରିମୋ ତାଙ୍କ ଦଳର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି । ଯେଉଁ ଓଡିଶାର ସଭ୍ୟତା ଓ ସଂସ୍କୃତିରେ ମହିଳାମାନଙ୍କୁ ମା’ ରୂପେ ପୂଜା କରାଯାଏ ସେଠାରେ ମହିଳାମାନଙ୍କ ପ୍ରତି ଶାସକ ଦଳର ନେତା ମାନଙ୍କର ଆଚରଣ ଓ ଉଚ୍ଚାରଣ ଅତ୍ୟନ୍ତ ନିନ୍ଦନୀୟ । ଆମ ପାଇଁ ପ୍ରତ୍ୟେକଟି ମହିଳା ଦେବୀ ସଦୃଶ ହୋଇଥିଲାବେଳେ ବିଜୁ ଜନତା ଦଳ ପାଇଁ ଜଣେ ମହିଳା ମାଇଣ୍ଡଫ୍ରେସ୍‌ର ଏକ ବସ୍ତୁ ହେବା ନିଶ୍ଚିନ୍ତ ଦୁର୍ଭାଗ୍ୟଜନକ । କ’ଣ ପାଇଁ ପ୍ରତ୍ୟେକ ମହିଳା ଅସଦାଚରଣ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଟି ବିଜୁ ଜନତା ଦଳର ନେତା, ତାହା ସମସ୍ତଙ୍କୁ ଚକିତ ବ୍ୟଥିତ କରୁଛି । ଏଠାରେ ଯଦି ବିଜେଡିର ନେତାମାନେ ରକ୍ଷକ ପରିବର୍ତେ ଭକ୍ଷକ ସାଜିବେ ତେବେ ଏହା ସମାଜକୁ କି ବାର୍ତା ଦେଉଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ବିଜୁ ଜନତା ଦଳର ନେତା ମାନଙ୍କର ମହିଳା ମାନଙ୍କ ପ୍ରତି ବ୍ୟଭିଚାର, ଅତ୍ୟାଚାର, ଅସଦାଚରଣ, ନିର୍ଯ୍ୟାତନା, ଅସମ୍ମାନିତ କରିବା ଘଟଣାକୁ ଭାରତୀୟ ଜନତାପାର୍ଟି ଘୋର ନିନ୍ଦା କରିବା ସହିତ ଏଭଳି ଅମାନୁଷିକ କାର୍ଯ୍ୟରୁ କ୍ଷ୍ୟାନ୍ତ ରହିବାକୁ ପରାମର୍ଶ ଦେଇଛି । ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅନ୍ଧ ଧ୍ରୁତରାଷ୍ଟ୍ର ନସାଜି ମହିଳାଙ୍କ ପ୍ରତି ଘଟୁଥିବା ହିଂସା, ନିର୍ଯ୍ୟାତନା ଆଦି ଘଟଣାରେ ସଂପୃକ୍ତ ଥିବା ବିଜୁ ଜନତା ଦଳର ନେତା ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମତୀ ସାହୁ ଦାବୀ କରିଛନ୍ତି ।

Spread the love