ଆଉନାହାନ୍ତି ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ

ବାରିପଦା ୧୪।୧: ଆଉ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ମା’ମାଟି ମୟୁରଭଞ୍ଜ । ଓଡିଆ ସିନେ ଜଗତର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଅନ୍ୟତମ ସରୋଜ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି। ଅଭିମାନ, ଫୁଲ ଚନ୍ଦନ, ଅଭିଳାଷ, ହାକିମ ବାବୁ, ଝିଅଟି ସୀତା ପରି, ଏଇ ସଂଘର୍ଷ, ମୋ ମନ ଖାଲି ତୋରି ପାଇଁ ଆଦି ଅନେକ ଫିଲ୍ମ, ନାଟକ, ବେତାର, ଟେଲି ଫିଲ୍ମ, ଟେଲିଭିଜନ ଧାରାବାହିକ ପ୍ରଭୃତିରେ ସ୍ବର ସଂଯୋଜନା କରି ନିଜର ଏକ ଭିନ୍ନ ତଥା ଅନନ୍ୟ ଛାପ ଛାଡି ଦେଇ ଯାଇଛନ୍ତି ସେ । ନିଜର ସ୍ବତନ୍ତ୍ର ଶୈଳୀ ପାଇଁ ରାଜ୍ୟ ସରକାରଙ୍କ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସମ୍ମାନରେ ଭୂଷିତ ହେବା ସହିତ ଗୀତ ରଚନା ପାଇଁ ରାଜ୍ୟ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଶ୍ରେଷ୍ଠ ଗୀତିକାର ଭାବେ ସମ୍ବର୍ଦ୍ଧିତ ହୋଇଥିଲେ ସ୍ବର୍ଗୀୟ ସରୋଜ ପଟ୍ଟନାୟକ। ସ୍ବର୍ଗୀୟ ଅକ୍ଷୟ ମହାନ୍ତିଙ୍କ ସିନେମାରେ ଗାଇଥିବା ଶ୍ରେଷ୍ଠ ୧୦ଗୋଟି ଗୀତ ମଧ୍ୟରେ ସେ ଅଧାରୁ ଅଧିକ ଗୀତର ସ୍ବର ସଂଯୋଜନା କରିଥିଲେ ।

କହିବାକୁ ଗଲେ ଅକ୍ଷୟ ମହାନ୍ତିଙ୍କ ସିନେମା ଗୀତ ଗାୟନରେ ସରୋଜ ପଟ୍ଟନାୟକ ହିଁ ନିର୍ଣ୍ଣାୟକ ମୋଡ ପ୍ରଦାନ କରିଥିଲେ । ‘ଭଷା ମେଘ ମୁଁ ଯେ ଭାସିଯାଏ ଦୂରେ’ ‘ଏଇ ଯେ ବନଲତା ପାହାଡ’ ‘ତୋ ବିନା ଲାଗେନା ଭଲ କିଛି’ ‘ଏଇ ମନକୁ ଭୁଲାଇ ରଖିଥିଲି ସଜାଇ’ ‘ମନେ ପଡେ ଯଦି କେଉଁ ଦିନ’ ‘ନା ପ୍ରଜାପତି ନା ବନଫୁଲ’ ‘ଏଇ ଝୁମା ଝୁମା ଗୋଲାପୀ ବେଳାରେ’ ‘ରଖିଥିବୁ ସାଇତି କରି ନେଇଯା ମନ ଚାବି କାଠି’ ‘ଚୁପି ଚୁପି ଗୋରୀ କାନେ କହିଯାଏ ମହୁରୀ’ ଚିକ ମିକିଆ ଯଉବନ ଜହ୍ନ ରାତି’ ଆଦି କାଳଜୟୀ ସୃଷ୍ଟିର ଚିଠା ବେଶ ଲମ୍ବା। ତାଙ୍କ ଦ୍ବାରା ସୃଷ୍ଟି ସଂଗୀତର ଯାଦୁ ଏମିତି ଅଟେ ଯେ ଅଶୀ ଦଶକରେ ସେ ସ୍ବର ଦେଇଥିବା ଗୀତଗୁଡିକୁ ତିନି ପୀଢ଼ି ଧରି ଶ୍ରୋତାମାନେ ଶୁଣି ଆସୁଛନ୍ତି । ଆଜି ବି ଶ୍ରେଷ୍ଠ ତଥା ଲୋକପ୍ରିୟ ଓଡ଼ିଆ ଗୀତର ତାଲିକା ପ୍ରସ୍ତୁତ କଲେ ସରୋଜ ପଟ୍ଟନାୟକଙ୍କ ଗଣ୍ଡା ଗଣ୍ଡା ଗୀତ ସେଥିରେ ସ୍ଥାନ ଦଖଲ କରିଥାଏ ।

ପେଷାରେ ଜଣେ ଇଞ୍ଜିନିୟର ଭାବେ ରାଜ୍ୟ ପୂର୍ତ୍ତ ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିବା ପରେ ବଡ ବଜାର ସ୍ଥିତ ବାସଭବନରେ ଅବସ୍ଥାନ କରୁଥିଲେ ସେ । ରାଜ୍ୟ ସିନେ ସଂଗୀତ ଜଗତରେ ମୟୁରଭଞ୍ଜ ପ୍ରଭାବ ବିସ୍ତାର କରି ଥିଲା ରାଧାକୃଷ୍ଣ ଭଞ୍ଜ, ଶାନ୍ତନୁ ମହାପାତ୍ର ଓ ସରୋଜ ପଟ୍ଟନାୟକଙ୍କ ପାଇଁ । ପୂର୍ବରୁ ସେ ଦୁଇ ହସ୍ତୀ ପରଲୋକ ଗମନ କରିଥିବା ବେଳେ ସରୋଜ ପଟ୍ଟନାୟକ ମଧ୍ୟ ମା’ମାଟି ମୟୁରଭଞ୍ଜର କୋଳକୁ ଖାଲି କରି ଚାଲି ଗଲେ ।  ସତରେ ଏହି ଶୂନ୍ୟତା ଆଉ କେବେ ହେଲେ ପୂରଣ ହୋଇପାରିବନି।

Spread the love