କ୍ଷମା ମାଗିଲେ ଋଷ ରାଷ୍ଟ୍ରପତି

ଜେରୁଜେଲମ :ଏବେବି ଚାଲିଛି ଋଷ – ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇସ୍ରାଏଲକୁ କ୍ଷମା ମାଗିଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀଙ୍କ ସର୍ଗେୟି ଲାଭରୋଭଙ୍କ ବିବାଦୀୟ ବୟାନ ପାଇଁ ପୁଟିନ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଅଡଲୋଫ ହିଟଲରଙ୍କ ଶରୀରେ ସମ୍ଭବତଃ ଇହୁଦୀ ମାନଙ୍କ ରକ୍ତ ପ୍ରବାହିତ ହେଉଛି ବୋଲି ଲାଭରୋଭ କହିଥିଲେ ଏବଂ ଏକଥା ନେଇ ଇସ୍ରାଏଲ ଆପତ୍ତି ଉଠାଇଥିଲା। ଶେଷରେ ପୁଟିନ ଏହି ହିଟଲର ବୟାନ ପାଇଁ କ୍ଷମା ମାଗିଥିବା ନିଜେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟାଲି ବେନ୍ନେଟ୍ଟ କହିଛନ୍ତି।

ସୂଚନାଯୋଗ୍ୟ, ଗତ ରବିବାର ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଲାଭରୋଭ ଦାବି କରିଥିଲେ ଯେ “ମୁଁ ଭୁଲ ହୋଇପାରେ। କିନ୍ତୁ ହିଟଲର ଦେହରେ ବି ଇହୁଦୀ ରକ୍ତ ପ୍ରବାହିତ ହେଉଥିଲା।” ଏହାକୁ ନେଇ ପୂରା ଇସ୍ରାଏଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦେଶର ବୈଦେଶିକ ମନ୍ତ୍ରୀ ୟାଇର ଲାପିଡ ଏପରି ବୟାନକୁ ଅକ୍ଷମଣୀୟ ଅପରାଧ ବୋଲି ମଧ୍ୟ କହିଥିଲେ।

ବିଭିନ୍ନ ସଂଗଠନ ପକ୍ଷରୁ ରୁଷକୁ ତୀବ୍ର ବିରୋଧ କରାଯାଇଥିଲା। ପ୍ରକୃତରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିରି ଜେଲେନସ୍କି ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ରୁଷ ରାଷ୍ଟ୍ରପତିଙ୍କୁ ନାଜି ଶାସକ ବୋଲି କହି ଆସୁଛନ୍ତି। ଏହାକୁ କାଉଣ୍ଟର କରିବା ପାଇଁ ଲାଭରୋଭ ଇହୁଦୀଙ୍କ କଥା ଉଠାଇଥିଲେ। କାରଣ ଜେଲେନସ୍କି ଜଣେ ଇହୁଦୀ। ତେଣୁ ତାଙ୍କୁ ସମାଲୋଚନା କରିବା ପାଇଁ ସେ ହିଟଲରକୁ ଇହୁଦୀ ସହ ଯୋଡ଼ିଥିଲେ।

Spread the love