ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା : ଖଇରାରେ ତଦନ୍ତକାରୀ ଟିମ୍‌

ସୋର ୧୯।୦୭: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ୭ ଦିନ ବିତିଲାଣି। ପୋଲିସର ତଦନ୍ତରେ ଏଯାଏଁ ସୌମ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେନେଇ କିଛି ସଠିକ ତଥ୍ୟ ମିଳିପାରିନାହିଁ । ୨ ଟି ପୋଲିସ ଟିମ୍ ଅଧିକ ତଦନ୍ତ ପାଇଁ ସୌମ୍ୟ ଓ ତାଙ୍କ ପତ୍ନୀଙ୍କ ଗାଁକୁ ଯାଇଛି । ଆଜି ବାପ ଘରେ ସୌମ୍ୟଙ୍କ ପତ୍ନୀଙ୍କୁ ଜେରା କରିପାରେ ପୋଲିସ୍ ।

ତେବେ କେଉଁ ପରିସ୍ଥିତିରେ ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ? ସେ ସମୟରେ ଅନ୍ୟ କେଉଁମାନେ ଉପସ୍ଥିତ ଥିଲେ ? ସେ ସବୁ ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରିଛି ପୋଲିସ୍ । ସୌମ୍ୟରଂଜନଙ୍କ ପରିବାର ଲୋକଙ୍କୁ ପଚରାଉଚରା ପାଇଁ ଖଇରାରେ ଏକ ଟିମ୍ ପହଞ୍ଚିଛି । ଖଇରା ପୋଲିସ ସହ ଆଲୋଚନା କରିଛି ଏହି ଟିମ୍ । ଏହାପରେ ମୃତ ସୌମ୍ୟରଂଜନଙ୍କ ଘରକୁ ଯାଇ ପଚରାଉଚରା କରିବ ।

ସେହିପରି ଗତକାଲି ଡିଏଫଓଙ୍କ କାର୍ଯ୍ୟାଳୟରେ ଗଜପତି ପୋଲିସ ଛାନଭିନ୍ କରିଥିଲା । ସୋମ୍ୟରଞ୍ଜନଙ୍କ ଡ୍ୟୁଟି ସମ୍ପର୍କିତ ଦସ୍ତାବିଜର ଯାଞ୍ଚ କରିଥିଲା ପୋଲିସ। ସୌମ୍ୟଙ୍କ ପରିବାର ଲୋକେ ବୋହୁ, ଡିଏଫ୍ଓ ଓ ରୋଷେୟାଙ୍କ ସଂପୃକ୍ତିକୁ ନେଇ ଅଭିଯୋଗ କରିଥିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାରେ ପୋଲିସ ଟିମ୍‌ ତଦନ୍ତ ଜାରି ରଖିଛି ।

Spread the love