ବାହା ହୋଇ ଭୁଲ୍‌ ହୋଇଗଲା…

ବାହା ହୋଇ ଭୁଲ୍‌ ହୋଇଗଲା… ଯାହା ଭୁଲ୍‌ ହୋଇଛି କ୍ଷମା କରିଦିଅ… ମୁଁ କେରେକ୍ଟର ଲେସ୍‌ ନୁହେଁ, ତୁମେ କେରେକ୍ଟର ଲେସ୍‌… ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସରକାରୀ ଆବାସରୁ ଶୁକ୍ରବାର ମିଳିଛି ଏପରି ଲେଖାଯାଇଥିବା ହାତ ଲେଖା। ଲେଟର ପେଡ୍‌ରେ ସୌମ୍ୟ ଏମିତି ଲେଖିଥିବା ଆଲୋଚନା ହେଉଛି। ତେବେ ଏହି ହାତ ଲେଖା ସୌମ୍ୟଙ୍କର କି ଆଉ କାହାର ସ୍ପଷ୍ଟ ହୋଇନି। ଯଦି ହାତ ଲେଖା ସୌମ୍ୟଙ୍କର ହୋଇଥିବା, ତାହାହେଲେ ସେ ଏପରି କାହିଁକି ଲେଖିଥିଲେ?
ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ସୌମ୍ୟଙ୍କ ସରକାରୀ ଆବାସରେ ଯାଞ୍ଚ କରିଥିଲା। ଏହି ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ମିଳିଥିଲା। ସରକାରୀ ବାସ ଭବନରୁ ସୌମ୍ୟଙ୍କ ଲାପ୍‌ଟପ୍‌, ମୋବାଇଲ୍‌, ନୋଟ୍‌ପ୍ୟାଡ୍‌(୭ ପୃଷ୍ଠା ସମ୍ୱଳିତ ହାତ ଲେଖା) ଜବତ କରିଛି ସାଇଣ୍ଟିଫିକ୍‌ ଟିମ। ଏହି ୭ ପୃଷ୍ଠାର ହାତ ଲେଖା ସୌମ୍ୟ ଖୋଲିଥିବା ଆଲୋଚନା ହେଉଛି। ସେଥିରେ ଲେଖାଯାଇଛି, ମୁଁ ୧୫ ତାରିଖ ପରେ ଚାପମୁକ୍ତ ହୋଇଯିବି। ତେବେ ଏଠି ପ୍ରଶ୍ନ ଉଠୁଛି ସେ କାହାଠାରୁ ଚାପମୁକ୍ତ ହେବାକୁ ଚାହୁଁଥିଲେ।

ହାତଲେଖା ନେଇ ସୌମ୍ୟଙ୍କ ସଂପର୍କୀୟ ଭାଇ ମାନସ ରଞ୍ଜନ ପାଢୀ କହିଛନ୍ତି, ସୌମ୍ୟ ବଦଳି ପାଇଁ ଆବେଦନ କରିଥିଲେ। ବଦଳି ମଧ୍ୟ ହୋଇଥିଲା। ଏହାର ଆଭାସ ପାଇବା ପରେ ବୋଧହୁଏ ସୌମ୍ୟ ଏଭଳି ଲେଖି ଥାଇପାରନ୍ତି। କେବଳ ସେତିକି ନୁହେଁ, ଛାନଭିନ ସମୟରେ ଯେଉଁ ଦୁଇଟି ଚୁକ୍ତିନାମା କାଗଜ ମିଳିଛି, ସେଥିରୁ ଗୋଟିଏ କାଗଜରେ ସୌମ୍ୟ ତାଙ୍କର ସମସ୍ତ ସମ୍ପତ୍ତି ସ୍ତ୍ରୀଙ୍କୁ ଦେବା ପାଇଁ ଲେଖିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଏପରି କାହିଁକି ଲେଖିଲେ, ତାହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ମାନସ କହିଛନ୍ତି।

Spread the love