ସଚିବ ଚାକିରି ଛାଡ଼ନ୍ତୁ, ରାଜନୀତିକୁ ଆସନ୍ତୁ : ଖୋଲା ଚ୍ୟାଲେଞ୍ଜ ଦେଲେ ସୌମ୍ୟରଞ୍ଜନ

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ‘‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ କୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଏହି ସଂପାଦକୀୟରେ ସୌମ୍ୟରଂଜନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ପ୍ରତି ଗସ୍ତ ଲାଗି ସରକାରୀ ଅର୍ଥରେ ହେଲିକପ୍ଟରର ବ୍ୟବହାର ଉପରେ ମଧ୍ୟ ଚିନ୍ତାପ୍ରକଟ କରିଥିଲେ। ଏହା ପରେ ବିଜେଡି ନେତା ଓ ମନ୍ତ୍ରୀ ସୌମ୍ୟରଂଜନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଆଜି ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଦଳରେ ଥାଇ ଏପରି ଲେଖିବାକୁ କଡ଼ା ସମାଲୋଚନା କରିବା ସହ ଏହା ବ୍ଲାକମେଲିଂ ଓ ଦଳୀୟ ବିଶୃଙ୍ଖଳା ଭଙ୍ଗ ବୋଲି କହିଥିଲେ। କେବଳ ସେତିକି ନୁହେଁ, ସୌମ୍ୟବାବୁ ଦଳରୁ ବାହାରି ଯାଇ ଏପରି ଲେଖନ୍ତୁ ବୋଲି ପରାମର୍ଶ ଦେଇଥିଲେ।

ଆଜି ଏ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ‌ସୌମ୍ୟରଂଜନ କହିଛନ୍ତି, ଯେହେତୁ ବିଜେଡ଼ିକୁ ଭଲ ପାଏ, ଦଳର ଦୋଷ ଦୁର୍ବଳତା ସୁଧାରିବା ଦାୟିତ୍ୱ ଅଛି | ମୁଁ କାହିଁକି ଦଳ ଛାଡ଼ିବି, ସେମାନଙ୍କର ନିଲମ୍ବନ ଅଧିକାର ଅଛି | ସେହିପରି ସୌମ୍ୟ ପଚାରିଛନ୍ତି ଯେ ଦଳୀୟ ଫୋରମ କେଉଁଠି ଅଛି ? ଦଳୀୟ ଫୋରମ ତୃତୀୟ ମହଲାରେ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି | ଦରମା ପାଉଥିବା ସଚିବମାନେ ଦଳୀୟ କାମରେ ମୁଣ୍ଡ ପୁରାଇବା ଅନୁଚିତ | ଜଣେ ଦୁଇଜଣ ଆଇଏଏସ ଅଫିସର ଦଳ ସମ୍ଭାଳିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି | ଯଦି ସଚିବମାନଙ୍କର ଦଳୀୟ କାର୍ଯ୍ୟକ୍ରମ କରିବାକୁ ଇଚ୍ଛା ଅଛି ତେବେ ଇସ୍ତଫା ଦେଇ ଆସନ୍ତୁ | ଚାକିରି ଛାଡି ରାଜନୀତି କଲେ କୌଣସି ଆପତ୍ତି ନାହିଁ |

ସେହିପରି ପ୍ରତାପ ଦେବଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ସମ୍ପାଦକୀୟ ନେଇ ମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇପାରିବେ ନାହିଁ | ପ୍ରତାପ ଦେବ ରାଜାଘର ଲୋକ, ସମସ୍ତଙ୍କୁ ପ୍ରଜା ବୋଲି ଭାବନ୍ତି | ସୌମ୍ୟଙ୍କ ପୂର୍ବରୁ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ ଗଣତନ୍ତ୍ର ପଦ୍ଧତିରେ ସମସ୍ତେ ମତ ରଖି ତା ପାରିବେ ସେଥିରେ କୌଣସି ଅସୁବିଧା ନାହିଁ । କିନ୍ତୁ ଗଣତନ୍ତ୍ର ପଦ୍ଧତିରେ ଯେତେବେଳେ ଆପଣ ନିର୍ଦ୍ଦିଷ୍ଟ ଦଳରେ ଅଛନ୍ତି ଏବଂ ସେ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି, ଦଳ ବିରୋଧରେ ବା ସରକାରଙ୍କ ବିରୋଧରେ କହିବା ସମ୍ପୂର୍ଣ୍ଣ ଅମୂଳକ । ଏହାକୁ ବ୍ଲାକମେଲ ବୋଲି କୁହାଯିବ ।

ଯେଉଁ ପ୍ରସଙ୍ଗରେ ସେ ତାଙ୍କ ସମ୍ବାଦପତ୍ରରେ ଲେଖୁଛନ୍ତି ଓ ମତ ମନ୍ତବ୍ୟ ଦେଉଛନ୍ତି ତାହା ଠିକ ନୁହେଁ । ଯଦି ଆପଣଙ୍କ ଭିତରେ କୌଣସି ସେମିତି କଥା ଅଛି ଦଳୀୟ ଫୋରମ ଭିତରେ ଉଠାଇବା ଦରକାର । ନା ଆପଣ ଦଳୀୟ ଫୋରମକୁ ମାନୁ ନାହାନ୍ତି ନା ସେ ବିଷୟରେ ଅବଗତ ନୁହଁନ୍ତି । ତାହାଲେ ଏ ଦଳରେ ରହିବା ଆପଙ୍କର ଅନୁଚିତ । ଘର ଭିତରେ ରହି ଘର ଭିତରୁ ଆଲୋଚନା ସମାଲୋଚନା କରିବା ନିଶ୍ଚିତ ଭାବେ ଅନୁଶାସନ ଭଙ୍ଗ କରୁଛି । ସମ୍ପାଦକୀୟ ଆଳରେ ଦଳ ଭିତରେ ରହି ଦଳର ଅନୁଶାସନ ଭାଙ୍ଗୁଛନ୍ତି । ଯଦି କିଛି କହିବାର ଅଛି ଦଳରୁ ବାହାରି ଯାଇ ବାହାରେ କହନ୍ତୁ । ଯଦି ସମ୍ପାଦକୀୟ ଲେଖିବାର ଅଛି ଦଳରୁ ବାହାରି ଯାଇ ସମ୍ପାଦକୀୟ ଲେଖନ୍ତୁ ।

Spread the love