ବାହନାଗା ଦୁର୍ଘଟଣା: ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ହଟାଇଲା କେନ୍ଦ୍ର

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଘଟିଥିହା ଲୋମହର୍ଷଣକାରୀ ଟ୍ରେନ୍ ଦୁର୍ଘଟଣାକୁ ମାସେ ପୂରିବାରୁ ଗୋଟିଏ ଦିନ ବାକି ରହିଛି। ଏହା ପୂର୍ବରୁ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଭାରତୀୟ ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଦକ୍ଷିଣ ପୂର୍ବ ରେଳବାଇର ନୂଆ ମହାପ୍ରବନ୍ଧକ ଭାବେ ଅନୀଲ କୁମାର ମିଶ୍ରଙ୍କୁ କ୍ୟାବିନେଟ୍ ନିଯୁକ୍ତି କମିଟି ଅନୁମୋଦନ କରିଛି।

ଜୁନ ଦୁଇ ତାରିଖରେ ତିନିଟି ଟ୍ରେନ୍ ଦୁର୍ଘଟଣା ସମ୍ମୁଖୀନ ହୋଇଥିଲେ। ଏହା ସବୁଠାରୁ ବଡ଼ ରେଳ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ। ଜୁନ୍ ୨ରେ ହୋଇଥିବା ଏହି ଦୁର୍ଘଟଣାରେ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ଜୁନ୍ ୨୦ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରେ ଜିଲ୍ଲାପାଳ, ଏସପି ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀ ତାଙ୍କ ସାଂସଦ ପାଣ୍ଠିରୁ ବାହାନଗାର ବିକାଶ ପାଇଁ ୧ କୋଟି ଟଙ୍କା ଏବଂ ରେଳବାଇ ପାଣ୍ଠିରୁ ଆଉ ୧ କୋଟି ଟଙ୍କା ଦେଇଥିଲେ। ଯାହା ସ୍ଥାନୀୟ ଗାଁ, ଡାକ୍ତରଖାନାର ବିକାଶ କାମରେ ଲାଗିବ।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଭାବେ ବିପର୍ୟ୍ୟୟ ପରିଚାଳନାରେ ଅଶ୍ୱିନୀ ବୈଷ୍ଣବଙ୍କର ଅଭିଜ୍ଞତା ରହିଛି। ବୈଷ୍ଣବ ଅତୀତରେ ମହାବାତ୍ୟାକୁ ପରିଚାଳନା କରିଥିଲେ। ବୈଷ୍ଣବ ମଧ୍ୟ ଦୁର୍ଘଟଣାର କିଛି ଘଣ୍ଟା ପରେ ବାଲେଶ୍ୱରରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ୨୩୦୦ରୁ ଊଦ୍ଧ୍ୱର୍ ଅଧିକାରୀଙ୍କ ନେତୃତ୍ୱ ନେଇ ରେଳ ଲାଇନର ପୁନରୁଦ୍ଧାର ଏବଂ ଉଦ୍ଧାର ଓ ରିଲିଫ୍ କାମକୁ ସଫଳତାର ସହ ଶେଷ କରିଥିଲେ।

ଶାଲିମାର-ଚେନ୍ନାଇ-କରମଣ୍ଡଳ ଏକ୍ସପ୍ରେସ୍, ବେଙ୍ଗାଲୁରୁ-ହାଓ୍ୱଡା ସୁପରଫାଷ୍ଟ ଏକ୍ସପ୍ରେସ୍ ଏବଂ ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାରେ ୨୮୭ ଜଣଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି।

Spread the love