ଖୁବଶୀଘ୍ର ଲାଗୁହେବ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ଆଇନ

ଭୁବନେଶ୍ୱର:  ଭୁବନେଶ୍ୱରରେ ଖୁବଶୀଘ୍ର ଲାଗୁହେବ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ଆଇନ। ବିଏମସି ପକ୍ଷରୁ ଏନେଇ ନିଆଯାଇଛି ନିଷ୍ପତ୍ତି। ମହାନଗର ନିଗମ ଆଇନ 2003ର ଧାରା 409(b) ଓ 543(b) ଅନୁଯାୟୀ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇପାରିବ। ଭୁବନେଶ୍ୱର ମହାନଗର ନିଗମରେ ଏକାଧିକ କୁକୁର କାମୁଡ଼ା ଭଳି ଘଟଣା ଘଟିବା ପରେ ବିଏମସି ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି। ତେବେ ବିଏମସି ପକ୍ଷରୁ ସ୍ୱତନ୍ତ୍ର pet act ଲାଗୁ କରାଯିବା ପୂର୍ବରୁ ଜନମତ ସଂଗ୍ରହ ସହ ବିଭିନ୍ନ ବର୍ଗର ଲୋକ ଓ ସଂସ୍ଥାର କର୍ମକର୍ତ୍ତାଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି। ବିଏମସିର ପୂର୍ଣ୍ଣାଙ୍ଗ କର୍ପୋରେସନ ବୈଠକ ପୂର୍ବରୁ ମେୟର ଓ କମିଶନରଙ୍କ ଉପସ୍ଥିତିରେ ଚିଠା ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯାଇଛି।

ପୋଷା କୁକୁର ବେକରେ ମାଲିକଙ୍କ ନାଁ ଝୁଲିବ । କୁକୁର କାହାକୁ ଆକ୍ରମଣ କଲେ ମାଲିକ ତଣ୍ଡ ଗଣିବେ । ଆବଶ୍ୟକ ପଡିଲେ ପଞ୍ଜିକରଣ ବାତିଲ ହେବ । ପୋଷା କୁକୁର ରଖିବାକୁ ହେଲେ ଅନଲାଇନରେ ପଞ୍ଜିକରଣ କରିବେ । ଏଥିପାଇଁ 500 ଟଙ୍କା ଦେବାକୁ ପଡିବ । ଜମେ ମାଲିକ ସର୍ବାଧିକ 2 ଟି କୁକୁର ରଖିପାରିବେ । କୁକୁରକୁ ବାହାରକୁ ବୁଲାଇବାକୁ ନେଲେ ଟେନ୍ ରେ ବାନ୍ଧିବା ବାଧ୍ୟତାମୂଳକ । ସେହିପରି ପାର୍କ, ରେସ୍ତୋରାଂ, ଜିମ୍, ମଲ୍ କୁ କୁକୁର ନେବା ଉପରେ ବାରଣ କରିବାକୁ ପ୍ରସ୍ତାବ ରହିଛି । କୁକୁରକୁ ଭ୍ୟକ୍ସିନ ଦିଆଯିବ । ଘରେ ସ୍ୱତନ୍ତ୍ର ଜାଗା ରହିବା ଦରକାର । ଯେପରି ପଡୋଶୀ ଅସୁବିଧାରେ ନ ପଡନ୍ତି । ସର୍ବସାଧରଣ ଜାଗାରେ ପୋଷା କୁକୁର ଶୌଚ କରିବା ଉପରେ ବାରଣ ରହିଛି । ଆଉ ପୋଷା କୁକୁର ମୃତ୍ୟୁ ହେଲେ ବାହାରେ ପକାଇ ପାରିବେନି । ମୃତ କୁକୁର ପାଇଁ ସତ୍ୱନ୍ତ୍ର ଗାଡି ବ୍ୟବସ୍ଥା କରାଯିବ ।

ବୈଠକରେ ପଶୁପ୍ରେମୀ, ପଶୁ ମାଲିକ, ପୋଷା ପଶୁପକ୍ଷୀ ବ୍ୟବସାୟୀ, ପଶୁ ଚିକିତ୍ସକଙ୍କ ସମେତ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ସମସ୍ତେ ବିଏମସିର ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ନିଜ ନିଜ ମତ ଓ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତୁତ ହୋଇଥିବା ଚିଠା ପ୍ରସ୍ତାବରେ କିଛି ପରିବର୍ତ୍ତନ କରିବା ପାଇଁ 10ଦିନର ସମୟ ରହିଛି। ଏହାପରେ ସଂଶୋଧିତ ଚିଠା ପ୍ରସ୍ତାବକୁ ବିଏମସି କର୍ପୋରେସନ ବୈଠକରେ ଆଲୋଚନା କରି ଆଇନରେ ପରିଣତ କରାଯିବ । ବିଏମସି pet act ରେ ମୁଖ୍ୟତଃ ଗୃହପାଳିତ ପଶୁପକ୍ଷୀଙ୍କ ପଞ୍ଜିକରଣ ଓ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ନବୀକରଣ, ସେମାନଙ୍କର ଟୀକାକରଣ ସହିତ ପରିବେଶ ଓ ପରିମଳ ଉପରେ ଗୁରୁତ୍ୱ ଦିଆଯାଇଛି। ଏଭଳି ନିୟମ ସମସ୍ତଙ୍କ ପାଇଁ ଉପାଦେୟ ହେବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।

Spread the love