ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା ଯୋଗୁଁ ରକ୍ତ ଜମାଟ ବାନ୍ଧିବାର କୌଣସି ପ୍ରମାଣ ନାହିଁ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା (କୋଭିସିଲଡ) ନେଲେ ବ୍ଲଡ କ୍ଲଟ ବା ରକ୍ତ ଜମାଟ ବାନ୍ଧିବାର କୌଣସି ପ୍ରମାଣ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଆଷ୍ଟ୍ରାଜେନିକା ଟିକା ନେବା ପରେ ରକ୍ତ ଜମାଟ ବାନ୍ଧୁଥିବା କେତୋଟି ମାମଲା ଜଣାପଡ଼ିବା ପରେ କେତେକ ୟୁରୋପୀୟ ଦେଶରେ ଏହି ଟିକାକୁ ସାମୟିକ ସମୟ ପାଇଁ ସ୍ଥଗିତ ରଖାଯାଇଛି । ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ବୟାନ ଦିଆଯାଇଛି ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଟିକାକରଣ ପରବର୍ତ୍ତୀ ପାର୍ଶ୍ବ ପ୍ରତିକ୍ରିୟା ଉପରେ ନଜର ରଖୁଥିବା କମିଟି ଆସନ୍ତା ସପ୍ତାହରେ ଭାରତରେ ଦିଆଯାଉଥିବା ଟିକା କୋଭିସିଲଡ ଓ କୋଭାକ୍ସିନର ପ୍ରତିକ୍ରିୟା ସଂପର୍କରେ ସମୀକ୍ଷା କରିବ । ସରକାରଙ୍କ କୋଭିଡ ସମ୍ପର୍କିତ ଟାକ୍ସଫୋର୍ସର ସଦସ୍ୟ ଏନ.କେ. ଆରୋରା କହିଛନ୍ତି ଯେ ଦେଶରେ ଟିକା ନେବାପରେ ହୋଇଥିବା ମୃତ୍ୟୁ ବା ଗୁରୁତର ହୋଇଥିବା ସବୁ ମାମଲାଗୁଡ଼ିକର ଯାଞ୍ଚ କରାଯିବ ।

ସୂଚନାଯୋଗ୍ୟ ଯେ ଆଷ୍ଟ୍ରାଜେନିକା ଟିକା ନେଇଥିବା କେତେକ ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଭଳି ଗୁରୁତର ପାର୍ଶ୍ବପ୍ରତିକ୍ରିୟା ଦେଖାଦେଉଥିବା ଅଭିଯୋଗ ହୋଇଛି । ୟୁରୋପୀୟ ମେଡିସିନ ଏଜେନ୍ସିର ରିପୋର୍ଟ ଅନୁସାରେ ମାର୍ଚ୍ଚ ୯ରେ ୟୁରୋପରେ ଆଷ୍ଟ୍ରାଜେନିକା ଟିକା ନେବାପରେ ରକ୍ତ ଜମାଟ ବାନ୍ଧିବାର ୨୨ଟି ମାମଲା ଜଣାପଡ଼ିଥିଲା । ଏସବୁ ପାର୍ଶ୍ବ ପ୍ରତିକ୍ରିୟା ଡେନମାର୍କ, ନରଓ୍ବେ, ଆଇସଲାଣ୍ଡ ଭଳି ଦେଶରେ ଦେଖାଦେଇଛି । ଫଳରେ ସେସବୁ ଦେଶରେ ଟିକାକରଣକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି ।

Spread the love