ବ୍ରହ୍ମପୁର ଗସ୍ତରେ କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ

ବ୍ରହ୍ମପୁର ୨୬।୬: ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ ଆର୍‌. ଭିନୀଲ କ୍ରିଷ୍ଣା ଶନିବାର ବ୍ରହ୍ମପୁର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।  ସେ ପ୍ରଥମେ ବ୍ରହ୍ମପୁର ଷ୍ଟାଡିୟମରେ ପହଞ୍ଚି ଷ୍ଟାଡିୟମର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ ।  ନିର୍ମାଣାଧୀନ କ୍ରୀଡ଼ା ଛାତ୍ରାବାସ, ପଡ଼ିଆ, ସୁଇମିଂ ପୁଲ ଏବଂ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।  ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ପ୍ରାୟ ୩୭ କୋଟି ଟଙ୍କା ବ୍ୟୟରେ ବ୍ରହ୍ମପୁର ଷ୍ଟାଡିୟମର ଉନ୍ନତିକରଣ ଚାଲିଛି ।

ବ୍ରହ୍ମପୁର ସହରର କ୍ରୀଡାର ବିକାଶ ଦିଗରେ ରାଜ୍ୟ ସରକାର ସ୍ବତନ୍ତ୍ର ଧ୍ୟାନ ଦେଇଛନ୍ତି । ବ୍ରହ୍ମପୁର ଷ୍ଟାଡିୟମ ସହ ବୈକୁଣ୍ଠ ନଗର ସ୍ପୋର୍ଟସ୍ ଏରିନା ମଧ୍ୟ ଗସ୍ତ କରି ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ ।  ବୈକୁଣ୍ଠନଗରଠାରେ ନିର୍ମାଣାଧୀନ ସ୍ପୋର୍ଟ୍ସ ଏରିନା ବ୍ରହ୍ମପୁର ମହାନଗର ନିଗମ ତରଫରୁ ୧ କୋଟି ୮୦ ଲକ୍ଷ ଟଙ୍କାରେ  ନିର୍ମାଣ ଚାଲିଛି ।  ଜୁଲାଇ ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସ୍ବତନ୍ତ୍ର କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା ନିର୍ଦ୍ଦେଶ ଦେଇଛନ୍ତି । ପରିଦର୍ଶନ ସମୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଷ୍ଟାଡିୟମ ଇନଚାର୍ଜ କାଜଲ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love