ସଞ୍ଜୟ ସିଂହଙ୍କ ନେତୃତ୍ବାଧୀନ ‘କୁସ୍ତି ମହାସଂଘ’କୁ ନିଲମ୍ବନ କଲା କ୍ରୀଡ଼ା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଆଜି ଭାରତର କ୍ରୀଡ଼ା ମନ୍ତ୍ରାଳୟ ସଞ୍ଜୟ ସିଂହଙ୍କ ନେତୃତ୍ବାଧୀନ ‘କୁସ୍ତି ମହାସଂଘ’କୁ ନିଲମ୍ବନ କରିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ କ୍ରୀଡ଼ାମନ୍ତ୍ରାଳୟ କହିଛି, ନିର୍ଦ୍ଧାରିତ ନୀତିନିୟମକୁ ‘କୁସ୍ତି ମହାସଂଘ’ ସମ୍ପୂର୍ଣ୍ଣ ଅମାନ୍ୟ କରିଛି। ଆବଶ୍ୟକ ପ୍ରକ୍ରିୟା ଅନୁସରଣ ନ କରି ‘କୁସ୍ତି ମହାସଂଘ’ ତରବରିଆ ଭାବେ ଜାତୀୟ ପ୍ରତିଯୋଗିତା ପାଇଁ ଘୋଷଣା କରିଛି। ମନ୍ତ୍ରାଳୟ ଦର୍ଶାଇଛି ଯେ, ‘କୁସ୍ତି ମହାସଂଘ’ର ନବନିର୍ବାଚିତ ଅଧ୍ୟକ୍ଷ ସଞ୍ଜୟ କୁମାର ସିଂହ ଡିସେମ୍ବର ୨୧ ତାରିଖରେ ଘୋଷଣା କରିଛନ୍ତି ଯେ, ଚଳିତ ବର୍ଷ ଶେଷ ପୂର୍ବରୁ ‘ଜୁନିୟର୍‌ ନ୍ୟାସ୍‌ନାଲ୍‌ କମ୍ପିଟିସନ୍‌’ ଆରମ୍ଭ ହେବ। କିନ୍ତୁ, ଏହା ନିୟମ ବିରୋଧୀ କାର୍ଯ୍ୟ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତି କରିବା ଲାଗି କୁସ୍ତି ଖେଳାଳିମାନଙ୍କୁ ଅନ୍ୟୂନ ୧୫ ଦିନ ସମୟ ଦିଆଯାଏ।

କ୍ରୀଡ଼ା ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି, ଏଭଳି ନିଷ୍ପତ୍ତି (ଜାତୀୟ ପ୍ରତିଯୋଗିତା ଆୟୋଜନ) ‘ଏକ୍ଜିକ୍ୟୁଟିଭ୍‌ କମିଟି’ଦ୍ବାରା ଗ୍ରହଣ କରାଯାଇଥାଏ। ତା’ପୂର୍ବରୁ ବିଚାର ପାଇଁ ‘ଆଜେଣ୍ଡା’ ଉପସ୍ଥାପନ କରିବାକୁ ପଡ଼ିଥାଏ। ‘ଡବ୍ଲୁଏଫ୍‌ଆଇ’ ସମ୍ବିଧାନର ଧାରା ୧୧ (ମିଟିଂ ପାଇଁ ନୋଟିସ୍‌ ଓ କୋରମ୍‌) ଅନୁସାରେ, ‘ଏକ୍ଜିକ୍ୟୁଟିଭ୍‌ କମିଟି’ ବୈଠକ ଲାଗି ୧୫ ଦିନ ପୂର୍ବରୁ ନୋଟିସ୍‌ ଦିଆଯାଏ ଓ ଏଥିରେ ଏକତୃତୀୟାଂଶ ପ୍ରତିନିଧି ନିମନ୍ତେ ‘କୋରମ୍‌’ ଆବଶ୍ୟକ ହୋଇଥାଏ। ଜରୁରୀକାଳୀନ ବୈଠକ ପାଇଁ ବି ୭ ଦିନ ଆଗରୁ ନୋଟିସ୍‌ ଓ ଏକତୃତୀୟାଂଶ ପ୍ରତିନିଧି ନିମନ୍ତେ ‘କୋରମ୍‌’ ଆବଶ୍ୟକ ହୋଇଥାଏ।

ଏହାଛଡ଼ା, ମନ୍ତ୍ରାଳୟ ମଧ୍ୟ ଅଭିଯୋଗ କରିଛି ଯେ, ନୂଆ କୁସ୍ତି ମହାସଂଘ ପୂର୍ବତନ କର୍ମକର୍ତ୍ତାମାନଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ପରି ଜଣାପଡୁଛି। ପୂର୍ବତନ କର୍ମକର୍ତ୍ତାମାନଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରାଯାଇଥିଲା।

Spread the love