ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଫାଇଲ୍‌ ମିଳିଲା

ଭୁବନେଶ୍ବର : ଆଇନ ବିଭାଗରେ ହଜି ଯାଇଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ୍‌ ମିଳିଛି। ଏନେଇ ଆଜି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଭାଗ ପକ୍ଷରୁ ପ୍ରେସ୍‌ ବିବୃତି ଜାରି କରାଯାଇଥିବା ବେଳେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଧନେଶ୍ବର ମଲ୍ଲିକ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଏ ସଂପର୍କିତ ଦୁଇଟି ପୁରାତନ ଫାଇଲ୍‌ ନ ମିଳିବା ବା ହଜିଯାଇଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ସରକାରଙ୍କ ନଜରକୁ ଆସିଛି। ଏହି ଦୁଇଟି ପୁରୁଣା ରୁଟିନ୍‌ ଫାଇଲ୍‌ ବହୁ ପୁରାତନ। ସେଗୁଡ଼ିକ ପୁରୁଣା ଫାଇଲ୍‌ ଭିତରେ ମିଶିଯିବା ଦ୍ୱାରା ଏହାକୁ ଖୋଜିବା ଅତ୍ୟନ୍ତ କଠିନ ଥିଲା। ଏଣୁ ଉଭୟ ଫାଇଲ୍‌କୁ ଖୋଜିବା ପାଇଁ ସମସ୍ତ ଉପବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଏହି ଦୁଇଟି ଫାଇଲ୍‌‌ ମିଳିଯାଇଛି ଓ ସଂପୂର୍ଣ୍ଣ ସୁରକ୍ଷିତ ଅଛି। ଏହା ଏକ ସାଧାରଣ ଫାଇଲ୍‌ ଥିଲା ଓ ଏହା ନମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା ବୋଲି ସେ କହିଛନ୍ତି।

ଆଇନ ବିଭାଗରେ ଥିବା ଶ୍ରୀମନ୍ଦିର ପ୍ରଶାସନ ସେକ୍ସନ୍‌ରୁ ଦୁଇଟି ଫାଇଲ୍‌ ହଜିଯାଇଥିଲା। ଏହାକୁ ଖୋଜିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ସେକ୍ସନକୁ ଚିଠି ଲେଖାଯିବା ପରେ ତମ୍ବିତୁଫାନ ହୋଇଥିଲା। ବରିଷ୍ଠ ସେବାୟତଙ୍କଠାରୁ ଆରମ୍ଭ କରି ଭକ୍ତ, ବିଭିନ୍ନ ଧାର୍ମିକ ସଂଗଠନ ଫାଇଲ୍‌ ହଜିଛି କି ଜାଣିଶୁଣି ଗାଏବ୍‌ କରି ଦିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ପୂର୍ବରୁ ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ହଜିଥିବା ରେକର୍ଡ ଥିବାରୁ ଏହାକୁ ଜାଣି ଜାଣି ହଜାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା।

Spread the love