ରାଜାନ୍ଦ୍ରିଭିଷେକଠୁ ନିଳାଦ୍ରୀ ବିଜେ ଯାଏଁ ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର

ପୁରୀ ୭।୬: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ରାଜାନ୍ଦ୍ରିଭିଷେକଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଉପରେ ବାଜିଛି ମୋହର । ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ସମ୍ପର୍କରେ ନିଷ୍ପତ୍ତି ହୋଇଛି । ସେହିଭଳି ସ୍ନାନପୂର୍ଣ୍ଣିମା ନୀତି ଏବଂ ଅନ୍ୟ ନୀତି ସମୟରେ ଶ୍ରଦ୍ଧାଳୁ ଯେପରି ମହାପ୍ରଭୁଙ୍କୁ ଭଲରୂପେ ଦର୍ଶନ କରିପାରିବେ ସେନେଇ ବୈଠକରେ ଆଲୋଚନା ହୋଇଛି ।

ଶ୍ରୀମନ୍ଦିର ପରିଚାଳନା କମିଟିରେ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ସମ୍ପର୍କରେ ହୋଇଛି ନିଷ୍ପତ୍ତି । ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ ଭକ୍ତ । ଜୁନ୍ ୧୪ ସ୍ନାନପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋର୍ ୪ଟାରୁ ଆରମ୍ଭ ହେବ ପହଣ୍ଡି । ସକାଳ ୬ଟା ସୁଦ୍ଧା ପହଣ୍ଡି ଶେଷ ହେବ । ସକାଳ ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ ଓ ପୂଜା ବିଧି ପରେ ମଧ୍ୟାହ୍ନ ୧୨ଟା ୧୫ରୁ ଅପରାହ୍ନ ୨ଟା ୩୦ ମଧ୍ୟରେ ହାତୀବେଶ ସମ୍ପନ୍ନ ହେବ । ଶ୍ରୀବିଗ୍ରହମାନଙ୍କୁ ଜଳଲାଗି ଓ ହାତୀବେଶ ପରେ ଭକ୍ତମାନେ ବଡ଼ଦାଣ୍ଡରୁ ୩ଘଣ୍ଟା ପାଇଁ ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସୁଯୋଗ ପାଇବେ ।

ସ୍ନାନବେଦୀର ଶ୍ରୀଜିଉମାନଙ୍କୁ ଜଳଲାଗି ସମୟରେ ଓ ହାତୀବେଶ ଓଲାଗି ସମୟରେ ଶୃଙ୍ଖଳା ରକ୍ଷା ପାଇଁ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟତ ଠିଆ ହୋଇ ଭକ୍ତଙ୍କ ଦର୍ଶନରେ ବାଧା ସୃଷ୍ଟି ନକରିବେ ସେନେଇ ଗୁରୁତ୍ବ ଦିଆଯାଇଛି । ଏହି ସମୟରେ  ବିଶୃଙ୍ଖଳା ଆଚରଣ ଉପରେ ନଜର ରଖିବାକୁ ସ୍ନାନମଣ୍ଡପରେ ସିସିଟିଭି ଓ ଭିଡିଓ ରେକର୍ଡ଼ିଂର ବ୍ୟବସ୍ଥା କରାଯିବ ।  ସମନ୍ବୟ ରକ୍ଷା କରି ନୀତି ଶୃଙ୍ଖଳିତ ଓ ବ୍ୟବସ୍ଥିତ କରାଯିବ ବୋଲି କହିଛନ୍ତି ସେବାୟତ ।  

ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କ ସହ ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଟ୍ରାଫିକ୍‌ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ଅଧିକ ପାର୍କିଂ ସ୍ଥାନ ନିରୂପଣ କରାଯିବ ବୋଲି କହିଛନ୍ତି ।

ସେହିଭଳି ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସେବାୟତଙ୍କ ବାସଗୃହ ଯୋଜନା, ଆଦର୍ଶ ଗୁରୁକୂଳ ପାଇଁ ହୋଇଥିବା ସୋସାଇଟି ଓ ବାଇଲ ଅନୁମୋଦନ ସହ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ ଆଲୋଚନା ହୋଇଥିଲା ।

Spread the love