ଶ୍ରୀମନ୍ଦିର ଉପରେ ବିବାଦୀୟ ବୟାନ, ଜୋର ଧରିଲା ଓଓ୍ଵେସୀଙ୍କ ଗିରଫ ଦାବି, ଚେତାବନୀ ଦେଲେ ସେବାୟତ ସମାଜ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିର ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ହାଇଦ୍ରାବ ସାଂସଦ ତଥା AIMIM ମୁଖ୍ୟ ଅସଦୁଦ୍ଦିନ୍‌ ଓଓ୍ବେସୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗିରଫ ଦାବି କରିଛି ପୁରୀ ଯୁବ ଅଧିବକ୍ତା ସଂଘ । ସେହିଭଳି ଓଓ୍ବେସୀଙ୍କ ମନ୍ତବ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ସେବାୟତ ସମାଜ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ସିଂହଦ୍ବାର ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।

ପୁରୀ ଶ୍ରୀମନ୍ଦିର ସମ୍ପର୍କରେ ଓଓ୍ବେସୀଙ୍କ ବିବାଦୀୟ ବୟାନ । ଶ୍ରୀଜଗନ୍ନାଥ ମନ୍ଦିର ହୋଇଥିବା ସ୍ଥାନ ପୂର୍ବରୁ କୁଆଡ଼େ ବୌଦ୍ଧସ୍ଥଳୀ ଥିଲା । ପରେ ସେହି ବୌଦ୍ଧସ୍ତୁପ ଉପରେ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ହୋଇଛି । ହାଇଦ୍ରାବାଦ ସାଂସଦ ତଥା AIMIM ମୁଖ୍ୟ ଅସଦୁଦ୍ଦିନ୍‌ ଓଓ୍ବେସୀଙ୍କ ଏଭଳି ବୟାନକୁ ନେଇ ସୃଷ୍ଟି ହୋଇଛି ବିବାଦ ।

ଉତ୍ତରପ୍ରଦେଶ ଜ୍ଞାନବାପୀ ମସଜିଦ୍‌ରେ ଶିବଲିଙ୍ଗ ମିଳିବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହେବା ଏବଂ ବିବାଦ କୋର୍ଟରେ ଥିବା ବେଳେ ଏହାକୁ ନେଇ ବିଳି ବିଳେଇ ହେଉଥିବା ଏବଂ ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଉଥିବା ମୁସଲିମ୍‌ ନେତା ତଥା AIMIM ମୁଖ୍ୟ ଅସଦୁଦ୍ଦିନ୍‌ ଓଓ୍ବେସୀ ପୁରୀ ଜଗନ୍ନାଥ ମନ୍ଦିର ସମ୍ପର୍କରେ କିଛି ନବୁଝି ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏହାକୁ ତୀବ୍ର ବିରୋଧ କରିଛି ପୁରୀ ଯୁବ ଅଧିବକ୍ତା ସଂଘ । ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅସଦୁଦ୍ଦିନ୍‌ ଓଓ୍ବେସୀଙ୍କ ବିରାଧରେ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି ।ସେପଟେ ଓଓ୍ବେସୀଙ୍କ ବିବାଦୀୟ ବୟାନକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ସେବାୟତ ସମାଜ । ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କରେ ଜ୍ଞାନ ନଥିବା ଓଓ୍ବେସୀଙ୍କ ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ।

ତୁରନ୍ତ ଓଡ଼ିଶା ପୋଲିସ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ୍‌ ଓଓ୍ବେସୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନର ଜଗନ୍ନଥାପ୍ରେମୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।

Spread the love