ଶ୍ରୀକୃଷ୍ଣ ୧୭ଥର ଜରାସନ୍ଧଙ୍କୁ ପରାସ୍ତ କରିଥିଲେ ମଧ୍ୟ ପ୍ରତିଥର ଜୀବିତ ଛାଡ଼ିଦେଉଥିଲେ : ଜାଣନ୍ତୁ କ’ଣ ପାଇଁ

ମଥୁରାର ରାଜା କଂସଙ୍କ ମୃତ୍ୟୁ ପରେ ତାଙ୍କ ଶ୍ବଶୁର ଜରାସନ୍ଧ ଏତେ କ୍ରୋଧିତ ହୋଇଯାଇଥିଲେ ଯେ ଶ୍ରୀକୃଷ୍ଣ ଏବଂ ବଳରାମଙ୍କୁ ଜୀବନରେ ମାରିଦେବାକୁ ସ୍ଥିର କରିଥିଲେ। ମହାଭାରତ ଅନୁସାରେ, ଶ୍ରୀକୃଷ୍ଣ ଏବଂ ବଳରାମଙ୍କୁ ଜରାସନ୍ଧ ୧୭ଥର ଆକ୍ରମଣ କରିଥିଲେ। କିନ୍ତୁ ଶ୍ରୀକୃଷ୍ଣ ଜରାସନ୍ଧଙ୍କୁ ପ୍ରତି ଥର ପରାସ୍ତ କରିଥିଲେ ମଧ୍ୟ ଜୀବିତ ଛାଡ଼ିଦେଉଥିଲେ। ଏହି କଥା ବଳରାମ ବୁଝିପାରୁନଥିଲେ ଯେ ଶ୍ରୀକୃଷ୍ଣ ତାଙ୍କୁ କ’ଣ ପାଇଁ ଛାଡ଼ିଦେଉଥିଲେ।

ଯୁଦ୍ଧରେ ହାରିବା ପରେ ଜରାସନ୍ଧ ପୁଣି ପାପୀ ରାଜାମାନଙ୍କୁ ଏକତ୍ର କରି ଆକ୍ରମଣ କରୁଥିଲା । ପୁଣି ସେହି କଥା ଘଟୁଥିଲା । ଜରାସନ୍ଧ ସଂଗ୍ରହ କରି ଆଣୁଥିବା ରାଜାଙ୍କୁ ଶ୍ରୀକୃଷ୍ଣ ଓ ବଳରାମ ଯୁଦ୍ଧରେ ମାରି ଦେଉଥିଲେ । କିନ୍ତୁ ଜରାସନ୍ଧକୁ କୃଷ୍ଣ ମାରୁନଥିଲେ । ବାରମ୍ବାର ଜରାସନ୍ଧଙ୍କୁ କୃଷ୍ଣ ଛାଡିଦେବା ପଛର ରହସ୍ୟ ବଳରାମ ଜାଣିପାରୁନଥିଲେ । ଥରେ ,ସେ ଶ୍ରୀକୃଷ୍ଣଙ୍କୁ ପଚାରିଲେ ଯେ ତୁମେ ଜରାସନ୍ଧଙ୍କୁ କାହିଁକି ମାରୁନାହଁ, ଜୀବିତ କାହିଁକି ଛାଡ଼ି ଦେଉଛ। ଏହା ପଛରେ ରହସ୍ୟ କ’ଣ?

ସେତେବେଳେ ଭଗବାନ ଶ୍ରୀକୃଷ୍ଣ କହିଥିଲେ ଯେ ଜରାସନ୍ଧ ବିଶ୍ବବ୍ରହ୍ମାଣ୍ଡରେ ଯେତେ ପାପୀ ରାଜା ଅଛନ୍ତି ସେମାନଙ୍କୁ ଏକାଠି ଆମ ସମ୍ମୁଖରେ ନେଇକି ଆସୁଛନ୍ତି। ଏଥି ପାଇଁ ଏହି ପାପୀମାନଙ୍କୁ ଆମେ ଏକତ୍ର ଗୋଟି ସ୍ଥାନରେ ମାରିପାରୁଛୁ ,ଏହି ଦୁଷ୍ଟ ରାଜାମାନଙ୍କୁ ମାରିବାକୁ ଆମକୁ ଅନ୍ୟତ୍ର ଯିବାକୁ ପଡ଼ୁନାହିଁ। ଯୁଦ୍ଧରେ ସମସ୍ତ ପାପୀମାନଙ୍କୁ ବିନାଶ କରିସାରିବା ପରେ ଆମେ ଜରାସନ୍ଧକୁ ମଧ୍ୟ ବିନାଶ କରିବା।

ସେୟା ହିଁ ହୋଇଥିଲା । ଯୁଦ୍ଧରେ ସମସ୍ତ ପାପୀରାଜା ମାନଙ୍କ ବିନାଶ କରିବା ପରେ ଭଗବାନ ଶ୍ରୀକୃଷ୍ଣ ମଲ୍ଲଯୁଦ୍ଧରେ ଭୀମଙ୍କ ଦ୍ବାରା ଜରାସନ୍ଧକୁ ବଧ କରିଥିଲେ।

Spread the love