ତାମିଲ ଶିକ୍ଷକଙ୍କ ସମେତ 106 ଗିରଫ

ଇଷ୍ଟର୍‌ ଦିନ ଶ୍ରୀଲଙ୍କାରେ ହୋଇଥିବା ସିରିଜ ବିସ୍ଫୋରଣ ସହ ସମ୍ପୃକ୍ତ ଥିବା ଅଭିଯୋଗରେ 106ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଜଣେ ତାମିଲ ଶିକ୍ଷକ ଏବଂ ଜଣେ ସ୍କୁଲ ଅଧ୍ୟକ୍ଷ। ସେମାନଙ୍କ ଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ଏବଂ ସିମ୍‌ କାର୍ଡ ଜବତ କରାଯାଇଛି। ଗିରଫ ତାମିଲ ଶିକ୍ଷକଙ୍କ ପାଖରୁ 50ଟି ସିମ୍‌ କାର୍ଡ ବ୍ୟତୀତ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। କଲ୍‌ପତିୟ ପୁଲିସ୍‌ ଏବଂ ନୌସେନାର ତଲାସି ଅଭିଯାନ ବେଳେ ଉକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି। ଭବୁନିୟା ସହରରେ ପୁଲିସ୍‌ ଏବଂ ସେନା ପକ୍ଷରୁ ସହରର ସମସ୍ତ ରାସ୍ତାକୁ 3 ଘଣ୍ଟା ଧରି ବନ୍ଦ କରାଯାଇ ଏକ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇଛି। ଏଥିରେ 10 ଜଣକୁ ଗିରଫ କରାଯାଇଛି। ଗୁଇନ୍ଦା ସୂଚନା ଆଧାରରେ, ଏନ୍‌ଟିଜେ ଦ୍ୱାରା ପରିଚାଳିତ ଦାମ୍‌ଗେଦର ଅଂଚଳରେ ଥିବା ଏକ ବିଦ୍ୟାଳୟରେ ଚଢ଼ଉ କରାଯାଇ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହି 2 ଜଣଙ୍କ ମଧ୍ୟରେ ଜଣେ ବିଦ୍ୟାଳୟର ଅଧ୍ୟକ୍ଷ ଥିବା ବେଳେ ଅନ୍ୟ ଜଣେ ଡାକ୍ତର ଅଛନ୍ତି। ଏନ୍‌ଟିଜେ ଦ୍ୱାରା ପରିଚାଳିତ ବିଦ୍ୟାଳୟ ବିଷୟରେ ପୁଲିସ୍‌ ଅଧିକ ଖୋଳତାଡ କରୁଥିବା ଜଣାପଡିଛି।

ଇତିମଧ୍ୟରେ, ଶ୍ରୀଲଙ୍କା ସରକାର ଶନିବାର ସିରିଜ୍‌ ବିସ୍ଫୋରଣରେ ସମ୍ପୃକ୍ତ ଥିବା ନେସ୍‌ନାଲ ତୋହିତ ଜମାତ୍ (ଏନ୍‌ଟିଜେ)କୁ ନିଷିଦ୍ଧ ଘୋଷଣା କରିଛନ୍ତି। ଦେଶ ସାରା ପ୍ରାୟ 10 ହଜାର ସୈନିକଙ୍କୁ ନିୟୋଜିତ କରାଯାଇ ସୁରକ୍ଷା କଡାକଡି କରାଯିବା ସହ ଆଇଏସ୍‌ ସମର୍ଥିତ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅଭିଯାନ ଜାରି ରହିଛି। ଦେଶରେ ଆତଙ୍କବାଦୀଙ୍କୁ ନିପାତ ପାଇଁ ଶେ‌ଷ ଯାଏଁ ଅଭିଯାନ ଜାରି ରହିବ ବୋଲି ସୁରକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଇସ୍ଲାମିକ୍‌ ଷ୍ଟେଟ୍‌ର 130 ଆତଙ୍କବାଦୀ ଦେଶରେ ସକ୍ରିୟ ଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ସୂଚନା ଦେଇଛନ୍ତି। ତେବେ ସକ୍ରିୟ ଥିବା ଆଇଏସ୍‌ର ଆତଙ୍କବାଦୀ ଏବଂ ସ୍ଥାନୀୟ ଆତଙ୍କବଦୀ ସଂଗଠନଗୁଡିକୁ ନିପାତ କରିବା ପାଇଁ ଦେଶରେ ନୂଆ ନିୟମର ଆବଶ୍ୟକତା ରହିଛି ବୋଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମାସିଂଘେ ସୂଚନା ଦେଇଛନ୍ତି।

Spread the love