ପବିତ୍ର ଶ୍ରୀପଞ୍ଚମୀ: ଆଜି ଅନୁକୂଳ ହେବ ରଥକାଠ

ପୁରୀ: ଆଜି ପବିତ୍ର ଶ୍ରୀପଞ୍ଚମୀ । ଚଳିତ ବର୍ଷ 2022 ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରଥ କାଠ ଅନୁକୂଳ କରାଯିବା ସହ ପୂଜାର୍ଚ୍ଚନା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ଆଜି ସନ୍ଧ୍ୟାରେ ପୂଜାପାଠ କରାଯିବ । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା’ ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିବେ । ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜିଉଙ୍କ ନିକଟରେ ପ୍ରାର୍ଥନା କରାଯିବ। ସେହିପରି ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୮୦ ଖଣ୍ଡ କାଠ ମହଜୁଦ ଅଛି । ଅବଶିଷ୍ଟ ୭୮୫ ଖଣ୍ଡ କାଠ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଅଣାଯିବାକୁ ଥିବାବେଳେ ଗତ ୨ ତାରିଖ ସନ୍ଧ୍ୟାରେ ତିନୋଟି ଟ୍ରକରେ ୬୩ ଖଣ୍ଡ କାଠ ପୁରୀରେ ଆସି ପହଞ୍ଚିଛି । ସେଥି ମଧ୍ୟରୁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ଆଜି ପୂଜାର୍ଚ୍ଚନା କରାଯିବ। ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ରଥ ଖଳାରେ ରଥ ନିର୍ମାଣ ଅନୁକୁଳ ପରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

Spread the love