ଶ୍ରୀଗୁଣ୍ଡିଚା ମନ୍ଦିର: ନିଷ୍ପତ୍ତି ନେଲେ, ଖୋଲିଲେନି

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରର ମହାତ୍ମ ଅନେକ। ଏହା ମହାପ୍ରଭୁଙ୍କ ଜନ୍ମବେଦି, ବାଲ୍ୟକାଳର ଲୀଳାଭୂମି। ଏଣୁ ପୂର୍ବରୁ ଦୈନିକ ବହୁ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିବା ସହ ଆଡ଼ପ ମଣ୍ଡପକୁ ସ୍ପର୍ଶ କରି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରୁଥିଲେ। କିନ୍ତୁ କୋଭିଡ୍‌ ଆଳରେ ୩ ବର୍ଷ ହେବ ଏଠାରେ ତାଲା ଝୁଲୁଛି। କେବଳ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ୯ ଦିନ ଛାଡ଼ିଦେଲେ, ବାକି ବର୍ଷତମାମ ତାଲା ପଡ଼ୁଛି। ଯାହା ଭକ୍ତଙ୍କ ମହଲରେ ଅସନ୍ତୋଷ ଭରି ଦେଇଛି।
ଯାହାର ପୂର୍ଣ୍ଣ ଫାଇଦା ନେଉଛନ୍ତି, ଏଠାରେ ନିୟୋଜିତ ହେଉଥିବା ଜେଟିପି ଓ ଅନ୍ୟ କର୍ମଚାରୀ। ଗଳିଆ ବାଟରେ ଭକ୍ତଙ୍କୁ ଛାଡ଼ି ଭଲ ରୋଜଗାର କରୁଛନ୍ତି। ରାଜ୍ୟ ବାହାରୁ ଯେଉଁ ଭକ୍ତମାନେ ଆସୁଛନ୍ତି, ସେମାନେ ଅଧିକ ଶୋଷଣର ଶିକାର ହେଉଛନ୍ତି। ସେପଟେ ବାରମ୍ବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେବା ପରେ ବି ଏହାକୁ ଝୁଲାଇ ରଖାଯାଇଛି।

୨୦୨୦ ମସିହାରେ କୋଭିଡ୍‌ ମହାମାରୀର ବ୍ୟାପକତା ଓ ରାଜ୍ୟ ସରକାରଙ୍କ କୋଭିଡ୍‌ ନିର୍ଦ୍ଦେଶନାମା ପରେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରି ଦେଇଥିଲା। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣା ଲାଗିଥିଲା। କେବଳ ନୀତି ସମ୍ପୃକ୍ତ ସେବକଙ୍କୁ ଛାଡ଼ିଦେଲେ, ଅନ୍ୟମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ ରହିଥିଲା। ଶ୍ରୀମନ୍ଦିର ସହ ସେ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ବି ବନ୍ଦ କରି ଦିଆଯାଇଥିଲା। ଯେହେତୁ ଭକ୍ତମାନେ ଦର୍ଶନ ପାଇଁ ଶ୍ରୀମନ୍ଦିର ସହ ଶ୍ରୀଗୁଣ୍ଡିଚା ମନ୍ଦିର ଯାଉଥିଲେ, ସେ ଦୃଷ୍ଟିରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବି ତାଲା ପକାଇ ଦିଆଯାଇଥିଲା। ଇଥିମଧ୍ୟରେ କୋଭିଡ୍‌ର ପୂର୍ବ ଭୟାବହତା ନାହିଁ। ରାଜ୍ୟ ସରକାର ବି କୋଭିଡ୍‌ ପୂର୍ବ ନିର୍ଦ୍ଦେଶନାମା ହଟାଇ ନେଇଛନ୍ତି। ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ସ୍ବାଭାବିକ ଚାଲିଛି। କିନ୍ତୁ କେବଳ ରଥଯାତ୍ରାର ୯ ଦିନ ଛାଡ଼ିଦେଲେ, ୨୦୨୦ ମସିହା ପରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ତାଲା ଝୁଲୁଛି। ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲା ସମୟରେ ଭକ୍ତମାନେ ମନ୍ଦିର ବୁଲିବା ସହ ଆପଡ଼ପଣ୍ଡମ ଦର୍ଶନ ଓ ସ୍ପର୍ଶ କରିବାର ସୁଯୋଗ ପାଇଥାନ୍ତି। ରୋଷଘର ବି ବୁଲି ଦେଖିବାର ସୁଯୋଗ ପାଇଥାନ୍ତି। ପରେ ଶରଧାବାଲି ମୁଣ୍ଡରେ ମାରି ଘରକୁ ଫେରିଥାନ୍ତି। କିନ୍ତୁ ୩ ବର୍ଷ ହେଲାଣି ଏହି ସୌଭାଗ୍ୟରୁ ଭକ୍ତ ବଞ୍ଚିତ ଅଛନ୍ତି। ବହୁ ବାଦବିବାଦ ଭିତରେ ଶେଷରେ ଗତବର୍ଷ ଅଗଷ୍ଟ ୬ ତାରିଖ ପରିଚାଳନା କମିଟି ବୈଠକରେ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ହେଲା। ସପ୍ତାହେ ଭିତରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା। ନିଷ୍ପତ୍ତି ହୋଇଥିଲା କି ମାଗଣାରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିପାରିବେ। ଭକ୍ତମାନେ ଆଡ଼ପମଣ୍ଡପ ପାଖକୁ ଯାଇପାରିବେନି କି ସ୍ପର୍ଶ କରିପାରିବେନି। ରୋଷଘରକୁ ବି ପ୍ରବେଶ କରିପାରିବେନି। ଏଥିପାଇଁ ଆଡ଼ପମଣ୍ଡପ ଚାରିପାର୍ଶ୍ବରୁ ବାରିକେଡିଂ କରାଯିବ। ରୋଷଘର ପାଖରେ ବି ବାରିକେଡିଂ କରାଯିବ। ଭକ୍ତଙ୍କୁ ଶୋଷଣ ଉପରେ ବି କଡ଼ା ନଜର ରହିବ। ଭକ୍ତଙ୍କୁ ଶୋଷଣ ସମ୍ପର୍କରେ ଅଭିଯୋଗ ପାଇବା ପରେ ଶ୍ରୀମନ୍ଦିର ଉନ୍ନୟନ ବିଭାଗ ଓଏସ୍‌ଡି ଅଜୟ କୁମାର ଜେନା ସମ୍ପୃକ୍ତ ଅଧିକାରୀମାନଙ୍କୁ ତାଗିଦ୍‌ କରିଛନ୍ତି। କିନ୍ତୁ ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲିବ, ସେ ଉପରେ କିଛି ମୁହଁ ଖୋଲିନାହାଁନ୍ତି।

Spread the love