ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କୁ ୫ ହଜାର ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର, ୧୬/୦୪: କରୋନାକୁ ନେଇ ଚାରିଆଡେ ଲକ୍ ଡାଉନ୍ ରହିଛି । ଏ ମଧ୍ୟରେ ଓଡ଼ିଶାର ହଜାର ହଜାର ଶ୍ରମିକ ରାଜ୍ୟ ବାହାରେ ଖାଦ୍ୟ ଓ ବାସଗୃହ ନ ପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେମାନଙ୍କ ବିଷୟରେ ଅବଗତ କରାଇଛନ୍ତି ।

ସେ ଚିଠିରେ ଲେଖିଛନ୍ତି ଯେ, ଓଡ଼ିଶାର ହଜାର ହଜାର ଶ୍ରମିକ ଦେଶର ବିଭିନ୍ନ ରାଜ୍ୟରେ କିପରି ଦୟନୀୟ ଅବସ୍ଥାରେ ଅଛନ୍ତି ତା’ର ଚିତ୍ର ଆପଣଙ୍କ ଦୃଷ୍ଟିକୁ ଆସିଥିବ । ସାରା ଦେଶରେ ଲକ୍ ଡାୁନ୍ । କଳ-କାରଖାନା ସବୁ ବନ୍ଦ । ଏହି ଶ୍ରମିକମାନେ ଦରମା ପାଉଛନ୍ତି ନା ଚଳିବା ପାଇଁ ତାଙ୍କର କିଛି ସାଧନ ଅଛି । ଜୀବନ-ଯାପନ ଅସମ୍ଭାଳ ହେଲାଣି । ଆପଣ ଅବଶ୍ୟ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ସେମାନଙ୍କର ଖାଦ୍ୟ ଓ ରହଣୀର ବନ୍ଦୋବସ୍ତ କରିବାକୁ । ଦେଶର ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଏମାନଙ୍କର ଦୁର୍ଦ୍ଦଶା ଉଲ୍ଲେଖ କରୁଛନ୍ତି । ବିଶେଷ କରି ଗୁଜୁରାଟର ସୁରଟ ଓ ମହାରାଷ୍ଟ୍ରରେ ଅବସ୍ଥା ଅତ୍ୟନ୍ତ ସଂଗୀନ ।

ଏକ ବିଶେଷ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯିବାକୁ ଅନୁରୋଧ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଶ୍ରମିକମାନଙ୍କର ପ୍ରତ୍ୟେକ ପରିବାରକୁ ଅତିକମରେ ୫ହଜାର ଟଙ୍କା ସାହାଯ୍ୟ ଆକାରରେ ଦିଆଯାଊ, ଯାହା କିଛି ଅଂଶରେ ତାଙ୍କୁ ସାହାଯ୍ୟ କରିପାରିବ । ଏ ସମ୍ପର୍କରେ ଗମ୍ଭୀରତାର ସହ ବିଚାର କରିବେ ବୋଲି ଆଶା କରୁଛି ।

ରାଜ୍ୟର ବହୁ ଗରିବ ଲୋକଙ୍କ ନିକଟରେ ରେସନକାର୍ଡ ନ ଥିବାରୁ କଂଟ୍ରୋଲ ସାମଗ୍ରୀ ପାଇପାରୁନାହାନ୍ତି । ସେମାନଙ୍କୁ ମଧ୍ୟ ଚାଉଳ ଇତ୍ୟାଦି ଯୋଗାଇ ଦେବାକୁ ଅନୁରୋଧ ।

Spread the love