ସ୍ମିତାରାଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସ୍ମିତାରାଣୀ ମୃତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଶ୍ରୀ ଜେନା ଲେଖିଛନ୍ତି, ଯାଜପୁର ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ସନ୍ଦେହ ଜନକ ମୃତ୍ୟୁକୁ ୧୫ଦିନ ବିତି ଯାଇଥିଲେ ମଧ୍ୟ ଏହା ଆତ୍ମହତ୍ୟା ନା ହତ୍ୟା ଏହାର ପର୍ଦାଫାଶ କରିବାରେ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି ପୋଲିସ । ସବୁଠାରୁ ମହତ୍ୱପୂର୍ଣ୍ଣ କଥାହେଲା ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ନ୍ୟାୟିକ ବ୍ୟବସ୍ଥା ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ କାହିଁକି ?

ସାଧାରଣରେ ଚର୍ଚ୍ଚା ହେଉଛି ଗୋଟିଏ ଶିଳ୍ପ ସଂସ୍ଥା ଓ ତାର ଏକ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ଘଣ୍ଟ ଘୋଡାଇବା ପାଇଁ ଉପରୁ ପ୍ରବଳ ଚାପ ପଡୁଛି । ତେଣୁ ସ୍ମିତାରଣୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତଦନ୍ତ ହେବା ପୂର୍ବରୁ ଯାଜପୁର ଏସପି ତରବରିଆ ଭାବେ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଯହିଁକି ଜଣେ ନାରୀର ଚରିତ୍ର ଉପରେ କୁଠାରଘାତ ଥିଲା ।

ଆପଣଙ୍କ ‘୫ଟି’ ର ପ୍ରଥମ ‘ଟି’ ର ଅର୍ଥ ‘ଟ୍ରାନ୍ସପରେନ୍ସି’ ଅର୍ଥାତ ‘ସ୍ୱଚ୍ଛ ଶାସନ’ ସ୍ମିତାରଣୀଙ୍କ ମୃତ୍ୟୁ ସମ୍ପର୍କରେ ଆପଣଙ୍କ ‘ଟି’ ବିନା ଅନୁସନ୍ଧାନରେ ସ୍ମିତାରଣୀଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା କଣ ଆପଣଙ୍କ ସ୍ଵଚ୍ଛତା ? ୫ଟି କଣ କେବଳ ଲୋକ ଦେଖାଣିଆ । ଯଦି ଆପଣ ପ୍ରକୃତରେ ସ୍ମିତାରଣୀ ଓ ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଇଚ୍ଛୁକ ତେବେ ହାଇକୋର୍ଟର ଜଣେ କାର୍ଯ୍ୟରତ ମାନ୍ୟବର ବିଚାରପତିଙ୍କ ଦ୍ୱାରା ଘଟଣାର ତଦନ୍ତ କରିବାକୁ ଘୋଷଣା କରନ୍ତୁ ।

“ଓଡିଶା ତ ଆପଣଙ୍କର” – “ଶାସନ ବି ଆପଣଙ୍କର” , ବୋଲି ପ୍ରତିଦିନ ସମ୍ବାଦ ପତ୍ର ମାନଙ୍କରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ହେଉଛି । “ସ୍ମିତାରାଣୀ” କ’ଣ ଆପଣଙ୍କ ପରିବାରର ନୁହେଁକି? ସତ୍ୟର ଜୟ ହେଉ । ସ୍ମିତାରାଣୀଙ୍କୁ ନ୍ୟାୟ ମିଳୁ । ଯାହା ଫଳରେ ଆପଣଙ୍କ ୫ଟି ର ସ୍ୱଚ୍ଛତାର ପ୍ରମାଣ ସାଧାରଣ ଜନତା ପାଇପାରିବେ । ୧୯୮୦ ମସିହାର “ଛବିରାଣୀ” ହତ୍ୟାକାଣ୍ଡ ସହ ଏହାର ସାମଞ୍ଜସ୍ୟ ରହିଛି । ସେତେବେଳର ସରକାର ଛବିରାଣୀ ହତ୍ୟାକାଣ୍ଡକୁ ଚାପିବାକୁ ଚେଷ୍ଟା କରିଥିଲେ । ମାତ୍ର ଜନ ଆନ୍ଦୋଳନ ବ୍ୟାପକ ହେବାରୁ ଶେଷରେ ସରକାର ହାରମାନିଥିଲେ । ବର୍ତ୍ତମାନ ସରକାରର ମଧ୍ୟ ସେହି ଦଶା ନହେଉ ଏବଂ ପୂର୍ବପରି ବର୍ତ୍ତମାନ ସରକାର ମଧ୍ୟ ଜନ ଆକ୍ରୋଶର ଶିକାର ନହେଉ ।

Spread the love