ଶ୍ରୀଲଙ୍କାରେ ହଟିଲା ଜରୁରୀକାଳୀନ ପରିସ୍ଥିତି

କଲମ୍ୱୋ: ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆସିବା ପରେ ଶ୍ରୀଲଙ୍କା ସରକାର ଜରୁରୀକାଳୀନ ପରିସ୍ଥିତିକୁ ପ୍ରତ୍ୟାହାର କରିଛନ୍ତି। ଆର୍ଥିକ ସଂକଟକୁ ନେଇ ହିଂସା ଆରମ୍ଭ ହେବା ପରେ ଗତ ୬ ତାରିଖ ମଧ୍ୟରାତ୍ରିଠାରୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ ।ଏହା ସତ୍ତ୍ୱେ ବି ଦେଶରେ ହିଂସା କମିନଥିଲା । ପରେ ୯ତାରିଖରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସ ବାଧ୍ୟହୋଇ ଇସ୍ତଫା ଦେଇଥିଲେ । କିନ୍ତୁ ମହିନ୍ଦାଙ୍କ ସମର୍ଥକ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା । ଏହି ହିଂସା ଫଳରେ ୯ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ । ପରେ ରାଷ୍ଟ୍ରପତି ଗୋଟାବାୟା ରାନିଲ ବିକ୍ରମସିଂହେଙ୍କୁ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ । ରାନିଲ ଆସିବା ପରେ ଦେଶର ସ୍ଥିତି ସୁଧାରିବାକୁ ସେ କେତେକ ପଦକ୍ଷେପ ନେବା ସହ ପଡ଼ୋଶୀ ଭାରତର ସହାୟତା ମାଗିଛନ୍ତି ।ତେବେ ଶ୍ରୀଲଙ୍କାର ଅର୍ଥନୀତିକୁ ରାତାରାତି ସୁଧାରିବାକୁ ତାଙ୍କ ପାଖରେ କୌଣସି ଉପାୟ ନାହିଁ ବୋଲି ରାନିଲ କହିଛନ୍ତି ।

Spread the love