ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ସରିଲା, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

ଆଜି ସକାଳେ ସଂଘଟିତ ହୋଇଥିବା ବିରଳ ବଳୟ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏହି ମହାଜାଗତିକ ଦୃଶ୍ୟ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯାଇଥିବା ବେଳେ ସମଗ୍ର ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଯାଇଛି । ଓଡ଼ିଶାରେ ସକାଳ ୮ଟା ୧୯ ମିନିଟରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନିଟରେ ଶେଷ ହୋଇଛି । ସକାଳ ୯ଟା ୪୬ ମିନିଟରେ ଏହା ଓଡ଼ିଶାରେ ସର୍ବାଧିକ ଅଂଶରେ ଦେଖାଯାଇଛି ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୬ ପ୍ରତିଶତ ଘୋଡ଼ାଇଦେଇଥିଲା । ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭଳି ଦୃଶ୍ୟମାନ ହୋଇଥିଲା। ମାତ୍ର ଏହି ବିରଳ ଦୃଶ୍ୟକୁ ଆକାଶ ମେଘାଚ୍ଛନ୍ନ ଥିବାରୁ ଦର୍ଶକ ଦେଖିବାରୁ ବଞ୍ଚିତ ହୋଇଛନ୍ତି।

ତେଣେ ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରେ ଥିବା ଅନ୍ୟ ଦେବାଦେବୀଙ୍କ ନୀତିକାନ୍ତି ବନ୍ଦ ରହିଥିବାବେଳେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ନୀତିରେ ପୂଜା କରାଯାଇଛି । ଗ୍ରହଣ ସ୍ନାନ ପରେ ତିନି ଠାକୁରଙ୍କ ପାଖରେ ଲାଗି ହୋଇଛି ଖଇକୋରା ଭୋଗ । ଗତକାଲି ରାତି ୮ଟା ୨୦ ସୁଦ୍ଧା ସଂଧ୍ୟାଧୂପ, ମଇଲମ ଓ ତଡ଼ପଲାଗି ନୀତି ଶେଷ ‌ପରେ ବାକି ସମସ୍ତ ନୀତି ବନ୍ଦ ରହିଥିଲା। ନୀତି ବନ୍ଦ ରହିଥିବାରୁ ବୁଧବାର ରାତିରେ ପହୁଡ଼ ନୀତି ବି ଅନୁଷ୍ଠିତ ହୋଇପାରି ନଥିଲା, ଯେଉଁଥିପାଇଁ ରାତିସାରା ଶ୍ରୀମନ୍ଦିର ଖୋଲାରହିଥିଲା।

Spread the love