କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

କର୍ଣ୍ଣାଟକର ଆଙ୍କୋଲାଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରତର ହୋଇଥିବା କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତ କାଲି ଗୋଆ ସରକାରୀ ମେଡିକାଲ କଲେଜରେ ତାଙ୍କର କେତେକ ଅସ୍ତ୍ରୋପଚାର ହୋଇଥିଲା । ଅସ୍ତ୍ରୋପଚାର ପରେ ସେ ବିପଦମୁକ୍ତ  ଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ସାଓ୍ବନ୍ତ କହିଛନ୍ତି ଯେ ଗୋଆ ମେଡିକାଲ କଲେଜର ଡିନ ଡ.ଶିବାନନ୍ଦ ଦାଣ୍ଡେକରଙ୍କ ନେତୃତ୍ବରେ ଏକ ଟିମ ତାଙ୍କର ଚିକିତ୍ସା କରୁଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଆଜି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୋଆ ଯିବେ ।

ଗତକାଲି ରାତିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନାଏକ ତାଙ୍କ ପତ୍ନୀ ବିଜୟା ଓ ଆଉ କେତେକ ସହଯୋଗୀଙ୍କ ସହ କର୍ଣ୍ଣାଟକର ଧର୍ମସ୍ଥଳାରୁ ଗୋଆ ଫେରୁଥିବାବେଳେ ଆଙ୍କୋଲାଠରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଆଙ୍କୋଲାର ଏକ  ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସପିଟାଲରେ ମନ୍ତ୍ରୀଙ୍କ ପତ୍ନୀ ଓ ବ୍ୟକ୍ତିଗତ ସହାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷେ ମନ୍ତ୍ରୀ ଶ୍ରୀ ନାଏକଙ୍କୁ ଗୋଆ ମେଡିକାଲ କଲେଜକୁ ପଠାଇଦିଆଯାଇଥିଲା ।

Spread the love