ହସ୍ପିଟାଲରୁ ଡିଶ୍ଚାର୍ଜ ହେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ, ମୁଣ୍ଡବୁଲାଇବାରୁ ପଡିଯାଇଥିଲେ

ଗୋଆ ୧।୧୧: କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ ସୋମବାର ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରୁ ଡିଶ୍ଚାର୍ଜ କରାଯାଇଛି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ନାୟକ ରବିବାର ସକାଳେ ମୁଣ୍ଡ ବୁଲାଇ ପଡି ଯାଇଥିଲେ। ଏଣୁ ତାଙ୍କୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ଆଡମିଶନ ବେଳେ ତାଙ୍କ ରକ୍ତଚାପ ବଢ଼ି ରହିଥିବା ଜଣାପଡିଥିଲା। ଡାକ୍ତରମାନେ ତାଙ୍କର ତୁରନ୍ତ ଚିକିତ୍ସା କରିବା ସହ ୨୪ ଘଣ୍ଟା ଅବଜରଭେସନରେ ରଖିଥିଲେ।

ତେବେ ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିବା ସହ ଅବଜରଭେସନ ଅବଧିରେ ତାଙ୍କଠାରେ କୌଣସି ଶାରୀରିକ ବିଲକ୍ଷଣ ଦେଖା ଦେଇନାହିଁ। ଏଣୁ ତାଙ୍କୁ ସୋମବାର ହସ୍ପିଟାଲରୁ ଛାଡି ଦିଆଯାଇଥିବା ଡିନ ଡା.ଶିବାନନ୍ଦ ବାନ୍ଦେକର କହିଛନ୍ତି। ଡା.ବାନ୍ଦେକରଙ୍କ ଅନୁସାରେ ନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଅନ୍ୟ ମାନକଗୁଡିକ ଠିକଠାକ ଥିବା ସ୍ପଷ୍ଟ ହେବା ପରେ ତାଙ୍କୁ ଡିଶ୍ଚାର୍ଜ ଦିଆଯାଇଛି।

ଉତ୍ତର ଗୋଆରୁ ଭାରତୀୟ ଜନତାପାର୍ଟି ସାଂସଦ ନାୟକ(୬୯)ଟ୍ରାଞ୍ଜିଟ ସ୍କେମିକ୍ ଆଟାକ (ଟିଆଇଏ)ର ଶିକାର ହୋଇଥିବାର ଡା. ବାନ୍ଦେକର କହିଛନ୍ତି। ସାଧାରଣତଃ ଏହି ବୟସରେ ଏପରି ହେବା ସ୍ୱଭାବିକ ବୋଲି ସେ କହିଛନ୍ତି।  ଟିଆଇଏ ଆଟାକ୍‌ ମସ୍ତିଷ୍କ ପର୍ଯ୍ୟନ୍ତ ସାମୟିକ ରକ୍ତପ୍ରବାହ ବାଧିତ କରିଥାଏ। ତାଙ୍କୁ ଏବେ ହସ୍ପିଟାଲରୁ ଯିବାକୁ ଦିଆଯାଇଛି। ତେବେ ଘରେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯିବ। ନାୟକ ହସ୍ପିଟାଲରେ ଥିବା ବେଳେ ରବିବାର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଗଡକରୀ ଏବେ ଦୁଇ ଦିବସୀୟ ଗୋଆ ଗସ୍ତରେ ଅଛନ୍ତି।

Spread the love