ଆକାଶରୁ ଖସିଲା ୪୦ ରୁ ୫୦ କିଲୋ ଓଜନର କୁଆ ପଥର

କୁଚିଣ୍ଡା ୦୬।୧୦:  ଘର ପଛ ପଟ  ବିଲ ନିକଟରେ ପଡ଼ିଲା ପ୍ରାୟ ୪୦ରୁ ୫୦  କିଲୋ ଓଜନର କୁଆ ପଥର। ଅଳ୍ପକେ ବଞ୍ଚିଲେ ପରିବାର ଲୋକେ। ଏହା ଏତେ ବଡ଼ କୁଆ ପଥର ଯେ ସ୍ଥାନୀୟ ଅଞ୍ଚଳରେ ଏହା ସର୍ବବୃହତ ବୋଲି କୁହାଯାଉଛି। ଯଦି ଏହା ଘର ଉପରେ ପଡ଼ିଥାନ୍ତା ତାହେଲେ ନିଶ୍ଚିତ ଜୀବନ ଯାଇଥାନ୍ତା ଏଥିରେ ସନ୍ଦେହ ନାହିଁ। ଗତକାଲି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଟିକିଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ବାଦିବାହାଲ ଗ୍ରାମରେ ଘଟିଛି ଏଭଳି ଘଟଣା।

ଗ୍ରାମର ଧରଣୀ ଛତ୍ରିଆଙ୍କ ଘର ପଛ ପଟେ ଏହି କୁଆ ପଥର ପଡ଼ିଥିଲା। ଏହା ହେଉଛି ମଙ୍ଗଳବାର ଅପରାହ୍ନ ୩ଟା ସମୟର ଘଟଣା। ସେହି ସମୟରେ ଘର ଲୋକେ ଖିଆପିଆ ସାରି ବିଶ୍ରାମ କରୁଥିଲେ। ଯେତେବେଳେ ଏତେ ବଡ଼ କୁଆ ପଥର ପଡିଲା ପାଖ ଆଖ ଅଞ୍ଚଳର ଲୋକ ରୁଣ୍ଡ ହୋଇ ତାହାକୁ ଦେଖିଥିଲେ। ଆକାଶରୁ କୁଆପଥର ପଡିବା ପରେ ତାହା ଭାଙ୍ଗି ଇଆଡ଼େ ସେଆଡେ ପଡିଥିଲା। ଭାଗ୍ୟବଶତଃ ଆଖ ପାଖରେ ମଧ୍ୟ କେହି ନଥିଲେ।

ଯଦି କାହା ଦେହରେ ଭଙ୍ଗା ବରଫ ଖଣ୍ଡ ବାଜିଥାନ୍ତା ତାହେଲେ ସେ ନିଶ୍ଚତ ଗୁରୁତର ହୋଇଥାନ୍ତେ। ଏ ଅଞ୍ଚଳରେ ଆଗରୁ କେବେ ଏଭଳି  ଦେଖିବାକୁ ମିଳିନଥିଲା ବୋଲି ଲୋକେ କୁହାକୁହି ହେଉଛନ୍ତି। ଯଦି ଏହା କାହା ମୁଣ୍ଡରେ ପଡ଼ିଥାନ୍ତି ତାହେଲେ ମୃତ୍ୟୁ ନିଶ୍ଚିତ ଥିଲା ବୋଲି ଲୋକେ କହୁଛନ୍ତି।

Spread the love