ବ୍ୟାପକ ଭାବେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛି ବିଜେଡି : ବିଜେପି

ଭୁବନେଶ୍ୱର,ତା.୨୯/୧୦: ବାଲେଶ୍ୱର ଉପନିର୍ବାଚନକୁ ଜିତିବା ପାଇଁ ଶାସକ ବିଜେଡି ସରକାରୀ କଳର ଅପବ୍ୟବହାର, ଭୋଟରଙ୍କୁ ଧମକ ଦେବା ଏବଂ ପ୍ରିଜାଇଡିଂ ଅଫିସରଙ୍କୁ ଲଗାଇ ପୋଷ୍ଟାଲ ବାଲାଟରେ ବିଜେଡି ସପକ୍ଷରେ ଭୋଟ କରାଇବା ଆଦି କାର୍ଯ୍ୟ ଚାଲୁ ରଖିଛି। ବାରମ୍ବାର ଅଭିଯୋଗ କରିବା ପରେ ବି ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ଚେତୁନାହାଁନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ଥିଲେ ଶାସକ ଦଳର ନିଘା ନାହିଁ। ଶାସକ ବିଜେଡି ଜିଲ୍ଲା ପ୍ରଶାସନ ଦ୍ୱାରା ବେନିୟମ ଭାବେ ନୂଆ ବିଦ୍ୟୁତ ଟ୍ରାନ୍ସଫରମର ଲଗାଇବା ଓ ପିଇବା ପାଣି ଟ୍ୟାପ ବସାଇ ବାଲେଶ୍ୱରବାସୀଙ୍କୁ ପ୍ରଲୋଭିତ କରି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଅପପ୍ରୟାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ପ୍ରସଙ୍ଗରେ ଏକ ସ୍ମାରକପତ୍ର ପ୍ରଦାନ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଚଳିତ ମାସ ଅକ୍ଟୋବର ୨୬ ତାରିଖରେ ଶାସକ ବିଜେଡିର ନିର୍ଦ୍ଦେଶରେ ରାଜ୍ୟସରକାରଙ୍କ ଆଇପିଡିଏସ ସ୍କିମ ଅଧୀନରେ
ବାଲେଶ୍ୱର ଟାଉନର କ୍ୟାଥୋଲିକ ପଡାରେ ଏକ ନୂତନ ବିଦ୍ୟୁତ ଟ୍ରାନ୍ସଫରମର ଲଗାଇ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଭୋଟ ହାତେଇବା ଆଶାରେ ଏହି ଟ୍ରାନ୍ସଫରମରକୁ ତରବରିଆ ଭାବେ ଚାର୍ଜ କରାଯାଇ ବିଦ୍ୟୁତ ଦିଆଯାଇଥିଲା। ଯାହାଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଟିଭି, ଫ୍ରିଜ, ମୋବାଇଲ ଏବଂ ବିଦ୍ୟୁତ ବଲବ ଆଦି ଫିଉଜ ହେବା ସହ ନଷ୍ଟ ହୋଇଯାଇଛି । ସେହିପରି ସହରର ଅନେକ ସ୍ଥାନରେ ବେନିୟମ ଭାବେ ପାଣି ଟ୍ୟାପ ବସାଯାଉଛି। ପୂର୍ବରୁ ପାଣି ଟ୍ୟାପ ପାଇଁ ଦାବି ହୋଇଥିବା ସତ୍ୱେ ଜିଲ୍ଲା ପ୍ରଶାସନ ଟ୍ୟାପ ଯୋଗାଇବାରେ ଅସମର୍ଥ ଥିଲା । ଆଉ
ଏବେ ଶାସକ ଦଳ ସପକ୍ଷରେ ଭୋଟ କରାଇବା ଲାଗି ସରକାରୀ ଅଧିକାରୀମାନେ ତରବରିଆ ଭାବେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ଶାସକ ଦଳ ଚାପରେ ସରକାରୀ ଅଧିକାରୀମାନେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛନ୍ତି।

ଏହି ଘଟଣାରେ ନିର୍ବାଚନ ଅଧିକାରୀ ନିରପେକ୍ଷ ତଦନ୍ତ କରି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନକାରୀ ସରକାରୀ ଅଧିକାରୀଙ୍କ
ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧୀ ଦଳ ଦାବି କରିଛି। ଏହି ସମସ୍ତ ବେଆଇନ କାର୍ଯ୍ୟର ସମସ୍ତ ତଥ୍ୟ ପ୍ରମାଣ ସହ ଫଟୋ ଓ ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରି ଆଗାମୀ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିଛି । ଗତକାଲି ବାଲେଶ୍ୱରଠାରେ ବିଜେପି ପ୍ରତିନିଧୀ ଦଳ ଏ ଘଟଣା ସଂପର୍କରେ ଜିଲ୍ଲା ରିଟଣ୍ଣିଂ ଅଫିସରଙ୍କୁ ଅବଗତ କରାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଲିଗାଲ୍ କୋଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

Spread the love