ବିଜେପିର ନୂଆ ସଭାପତି ପାଇଁ ନାମାଙ୍କନ କାଲି

ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ଆଶାୟୀ ପ୍ରାର୍ଥୀ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରତାପ ରୁଡିଙ୍କ ଉପସ୍ଥିତିରେ ଆଶାୟୀ ପ୍ରାର୍ଥୀମାନେ ଅପରାହ୍ଣ ୩ଟା ବେଳେ ନାମାଙ୍କନ ପତ୍ର ଦାଖଲ କରିବେ। ଏହାପରେ ୪ଟା ୩୦ରୁ ୫ଟା ମଧ୍ୟରେ ନାମାଙ୍କନ ଯାଞ୍ଚ କରାଯିବ। ଆବଶ୍ୟକ ପଡ଼ିଲେ ୧୭ ତାରିଖରେ ନିର୍ବାଚନ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ।
ବିଜେପିର ଦୁଇ ବରିଷ୍ଠ ନେତା ସମୀର ମହାନ୍ତି ଏବଂ ପୃଥ୍ୱୀରାଜ ହରିଚନ୍ଦନଙ୍କ ମଧ୍ୟରୁ ଜଣେ କିଏ ରାଜ୍ୟ ବିଜେପିର ନୂଆ ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ୨୦ ତାରିଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ହେବ। ତା’ପୂର୍ବରୁ ବିଭିନ୍ନ ରାଜ୍ୟର ଦଳୀୟ ସଭାପତିଙ୍କ ନିର୍ବାଚନ ଚାଲିଛି। ଏହି କ୍ରମରେ ଆସନ୍ତା ୧୭ ତାରିଖ ମଧ୍ୟରେ ଓଡ଼ିଶାର ବିଜେପି ସଭାପତି ନିର୍ବାଚନ ସାରିବାକୁ ଯୋଜନା ରହିଛି।

Spread the love