ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ ହେଉଛି ମାହାଙ୍ଗା ଡବଲ୍ ମର୍ଡର ଘଟଣା : ସମୀର

ଓଡିଶା ରାଜନୀତିରେ ମାହାଙ୍ଗା ଡବଲ୍ ମର୍ଡର ଏକ ପ୍ରମୁଖ ପ୍ରସଙ୍ଗ ହୋଇ ରହିଗଲା ଏବଂ ଏଭଳି ଜଘନ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀମାନେ ଆଜି ପର୍ଯ୍ୟନ୍ତ ଦଣ୍ଡ ପାଇଲେନାହିଁ । ରାଜ୍ୟର ଆଇନମନ୍ତ୍ରୀ ବେଆଇନ କାର୍ଯ୍ୟ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ତଥା ଏଫଆଇଆରରେ ଉଲ୍ଲେଖ ଥିବା ୧୩ ନମ୍ବର ମୁଦାଲା ତଥା ରାଜ୍ୟ ଆଇନମନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ ପ୍ରକ୍ରିୟାକୁ ଗତିରୋଧ କରାଯାଇ ନ୍ୟାୟ ପ୍ରଦାନରେ ସଂପୂର୍ଣ୍ଣ ଅନ୍ୟାୟ କରାଯାଇଛି । ଆଇନ ତା ବାଟରେ ଯାଉନାହିଁ, ବରଂ ଆଇନକୁ ମୋଡି ମୋକିଚି ଅପରାଧୀଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ମୁହଁ ଖୋଲିବାରୁ ସ୍ୱର୍ଗତଃ କୁଳମଣି ବରାଳ ଏବଂ ସ୍ୱର୍ଗତଃ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଗଲା । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମହାଦୁର୍ନୀତି ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ ହେଉଛି ମାହାଙ୍ଗା ଡବଲ୍ ମର୍ଡର ଘଟଣା ବୋଲି ବିଜେପିର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ହତ୍ୟାକାଣ୍ଡର ଏକ ବର୍ଷ ପୁର୍ତି ଅବସରରେ ଅନୁଷ୍ଠିତ ସ୍ମୃତି ସଭାରେ ଯୋଗ ଦେଇ କହିଛନ୍ତି ।

Spread the love