ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ଆଲୋଚନା, ପ୍ରାର୍ଥୀଙ୍କ ସତ୍ୟପାଠ ବାଧ୍ୟତାମୂଳକ

ଭୁବନେଶ୍ୱର ୧୦।୦୨ : ସରିଲା ସର୍ବଦଳୀୟ ବୈଠକ । ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ । ଏଥିରେ ରାଜ୍ୟର ପ୍ରମୁଖ ଦଳର ନେତୃବୃନ୍ଦ ଯୋଗଦେଇଥିଲେ ।

ତେବେ ବୈଠକ ପରେ ନିର୍ବାଚନ କମିଶନଙ୍କ କହିଛନ୍ତି ଯେ, ଭୋଟର ତାଲିକା ସଂଶୋଧନ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି । ରାଜନୈତିକ ଦଳମାନଙ୍କୁ ଅଧ୍ୟକ୍ଷ ଏବଂ ମେୟର ସିଧାସଳଖ ଭାବେ ନିର୍ବାଚନ ହେବ ବୋଲି ଅବଗତ କରାଇଛୁ। ଆଗାମୀ ନିର୍ବାଚନରେ କାଉନସିଲର ଏବଂ କର୍ପୋରେଟର ମାନଙ୍କ ଭୋଟ ଗ୍ରହଣ ଇଭିଏମ ମାଧ୍ୟମରେ ହେବ। ପ୍ରତି ବୁଥକୁ ଦୁଇଟି ଲେଖାଏଁ ଇଭିଏମ ଯୋଗାଇ ଦିଆଯିବ। ନିର୍ବାଚନ ଖର୍ଚ୍ଚ ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବ ଅନୁଯାୟୀ ହେବ। ପ୍ରାର୍ଥୀ ମାନେ ସତ୍ୟପାଠ ଦେବା ବାଧ୍ୟତାମୂଳକ। ନୂଆ କରି ଶପଥ ପତ୍ର ବାଧ୍ୟତାମୂଳକ କରାଯାଇଛି । ପ୍ରାର୍ଥୀ ମାନେ ସତ୍ୟପାଠ ନଦେଲେ ପ୍ରାର୍ଥୀପତ୍ର ନାକଚ ହେବ।

ବୈଠକରେ ବିଜେପି ୩ଟି ଦାବି ରଖିଛି । ସେଗୁଡିକ ହେଲା- ଭୋଟର ତାଲିକା ତ୍ରୁଟି ନେଇ ଆପତ୍ତି ଅଭିଯୋଗ ସମୟକୁ ୬ ଦିନ ବଦଳରେ ୧୦ ଦିନ କରାଯାଉ। ଆପତ୍ତି ଅଭିଯୋଗର ଶୁଣାଣି ୧ ଦିନ ବଦଳରେ ୩ ଦିନ କରାଯାଉ।

ସେପଟେ କଂଗ୍ରେସର ଦାବି ରଖିଛି ଯେ, ଯେହେତୁ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ତେଣୁ ସର୍ବଦଳୀୟ ବୈଠକ ଆଗକୁ ଘୁଞ୍ଚାଯାଉ ।ଭୋଟର ତାଲିକା ସଂଶୋଧନ ପଞ୍ଚାୟତ ନିର୍ବାଚନ ପରେ କରାଯାଉ ।

ସେହିପରି ବିଜେଡି ନିର୍ବାଚନ ଆୟୋଗଙ୍କ ସମସ୍ତ କାର୍ଯ୍ୟକ୍ରମକୁ ସମର୍ଥନ କରିଛି। ପୌର ନିର୍ବାଚନ ଖରାଦିନ ହେଉଥିବାରୁ କୋଭିଡ ନିୟମ ସହିତ ପାନୀୟଜଳ ବ୍ୟବସ୍ଥା କରାଯାଉ ବୋଲି କହିଛି ।

Spread the love