ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସମ୍ବେଦନଶୀଳ ହୁଅନ୍ତୁ ରାଜ୍ୟ ସରକାର : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର/ ଜଗତସିଂହପୁର, ୨୩/୧୦: ମୋଦି ସରକାର କରୋନା ସମୟରେ ଓଡ଼ିଶା ପାଇଁ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଦେଇ ସମ୍ବେଦନଶୀଳ ସରକାରର ପରିଚୟ ଦେଇଥିବାବେଳେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଚରମସୀମାରେ ପହଞ୍ଚିଛି। ଏହା ରାଜ୍ୟସରକାରଙ୍କ ସମ୍ବେଦନହୀନତାର ପରାକାଷ୍ଠା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଲୋକଙ୍କ ସ୍ୱାସ୍ଥ୍ୟସେବା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଜଗତସିଂହପୁର ଜିଲ୍ଲା ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଦଳପକ୍ଷରୁ ଆୟୋଜିତ ଭର୍ଚୁଆଲ ରାଲିରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଶ୍ୱ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ କୋଭିଡ଼୍‌-୧୯ ମୁକାବିଲା ଓ ପରିଚାଳନାରେ ଭାରତ ବିଶ୍ୱରେ ଏକ ଉଦାହରଣ ତିଆରି କରିପାରିଛି ।

ଅନ୍ୟପକ୍ଷରେ ଜଗତସିଂପୁର ଜିଲ୍ଲା ତିର୍ତୋଲ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଅବସ୍ଥା କଣ କରିଛି? । ମୋଦି ସରକାର ଗରିବ ଲୋକଙ୍କ ପାଇଁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧାର ବ୍ୟବସ୍ଥା କରିଛନ୍ତି । ମାତ୍ର ରାଜ୍ୟରେ ଏପର୍ଯ୍ୟନ୍ତ ଆୟୁଷ୍ମାନ ଯୋଜନା ଲାଗୁ ହେଲା ନାହିଁ। ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରାଗଲେ ରାଜ୍ୟର ଲକ୍ଷାଧିକ ଗରିବ ଲୋକମାନେ ଲାଭ ପାଇପାରିବେ। ସେହିପରି କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାରେ ଲୋକଙ୍କୁ ବ୍ୟକ୍ତି ପିଛା ୫ କେଜି ଚାଉଳ ଏବଂ ପରିବାର ପିଛା ୧କେଜି ଡ଼ାଲି ଦେବାର ବ୍ୟବସ୍ଥା କରାଗଲା। ମାତ୍ର ରାଜ୍ୟ ସରକାର ଏଠାରେ ସଠିକ୍ ଭାବରେ ବାଣ୍ଟିପାରିଲେ ନାହିଁ । ଅପରପକ୍ଷରେ ବାହାରେ କାମ କରୁଥିବା ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନର ଉପଲବଦ୍ଧ କରାଇଛନ୍ତି । ସେମାନଙ୍କୁ ରୋଜଗାର ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି। କିନ୍ତୁ ଦୀର୍ଘବର୍ଷ ଦାୟିତ୍ୱରେ ରହିବା ପରେ ବି ଏଠାକାର ସରକାର ପ୍ରବାସୀଙ୍କୁ ରୋଜଗାର ଦେଇପାରିଲେ ନାହିଁ। ରାଜ୍ୟ ସରକାର ବିଜେପୁର ଉପନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିରୁ ଗୋଟିଏ ପ୍ରତିଶ୍ରୁତି ମଧ୍ୟ ଏଯାଏଁ ପୂରଣ କଲେ ନାହିଁ ।
ଅନ୍ୟପକ୍ଷରେ ମୋଦି ସରକାର ଓଡ଼ିଶାକୁ ମୁକ୍ତ ହସ୍ତରେ ସହାୟତା କରିବା ପାଇଁ ପ୍ରସ୍ତୁତ। ଓଡ଼ିଶାକୁ ବିକାଶର ପ୍ରୟୋଗଶାଳା କରିବା ପାଇଁ କଟିବଦ୍ଧ ଥିବା ମୋଦି ସରକାରଙ୍କ ହାତମୁଠାକୁ ଅଧିକ ଟାଣ କରିବା ପାଇଁ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ତିର୍ତୋଲବାସୀ ଭୋଟ ଦେଇ ଓଡିଶା ରାଜନୀତିକୁ ନୂଆ ଦିଗଦର୍ଶନ ଦେବେ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଥିଲେ ।୨୦ ବର୍ଷ ଧରି ରାଜ୍ୟରେ ବିକାଶର ପ୍ରଚାର କରାଯାଉଛି ମାତ୍ର ବିକାଶ ହୋଇଛି କି ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ୧୯୯୯ ମହାବାତ୍ୟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରି ବାଜପେୟୀ ସହାୟତାର ହାତ ବଢାଇ କେବଳ ଜଗତସିଂହପୁର ରାଜ୍ୟକୁ ୨୨ଲକ୍ଷ ଏବଂ ଜିଲ୍ଲାକୁ ୧ଲକ୍ଷ ୫୦ ହଜାର ଇନ୍ଦିରା ଆବାସ ଯୋଗାଇଦେଇଥିଲେ । ୨୦୦୪ ମସିହାରେ ବିଜେପିର ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ପାରାଦୀପ ଠାରେ ତୈଳ ବିଶୋଧନାଗାର ପ୍ଲାଂଟକୁ ଶୁଭ ଦେଇଥିଲେ ଯାହା ଏବେ କାର୍ଯ୍ୟକ୍ଷମ ଅଛି।

ସେହିପରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପାରାଦୀପ ବିକାଶର ପ୍ରବେଶ ଦ୍ୱାର ହେବାକୁ ଯାଉଛି ବୋଲି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ରାଜ୍ୟସରକାରଙ୍କ ହୀନ ରାଜନୀତି ପାଇଁ କେନ୍ଦ୍ରସରକାରଙ୍କ ଅନୁଦାନରେ ହେବାକୁ ଥିବା ପ୍ଲାଷ୍ଟିକ ପାର୍କ ହୋଇ ପାରିଲା ନାହିଁ । ମୋ ପରିବାର ନାଁ କହି ରାଜ୍ୟସରକାର ଲୋକଙ୍କୁ ଲୁଟୁଛନ୍ତି । ତିର୍ତୋଲର ଯୁବପିଢୀଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇପାରିନଥିବା ଯୋଗୁଁ ଆଜି ସେମାନେ ନିଜ ଭିଟାମାଟି ଛାଡି ବାହାର ରାଜ୍ୟରେ କାମ କରୁଛନ୍ତି ା ଗରିବ କଲ୍ୟାଣ ଯୋଜନାମାଧ୍ୟମରେ ପ୍ରଧାନମନ୍ତ୍ରୀ ଗରିବ ଲୋକଙ୍କୁ ପ୍ରତି ପରିବାରକୁ ୧୧ ହଜାର ଟଙ୍କାର ଖାଦ୍ୟ ଯୋଗାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟଦକ୍ଷତାକୁ ଆଧାର କରି ନିଜ ହକ୍ ଏବଂ ଅଧିକାର ପାଇଁ ତିର୍ତୋଲ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଆଶୀର୍ବାଦ କରିବ ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ତିର୍ତୋଲବାସୀଙ୍କୁ ନିବେଦନ କରିଥିଲେ । ତିର୍ତୋଲ ବିଧାନସଭା ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା ତିର୍ତୋଲରେ ଥିବା ସୂତା ମିଲର ପୁନରୁଦ୍ଧାର ଓ ଅନ୍ୟାନ୍ୟ ସମସ୍ୟାଉପରେ କହିବା କରିବାସହ ତିର୍ତୋଲର ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ଥିବା କହିଥିଲେ। କୋଭିଡ୍ ପରିଚାଳନାରେ ରାଜ୍ୟ ସରକାର ବିଫଳ ହୋଇଥିବା ବେଳେ ମୋଦି ସରକାର ଅନେକ ଓଡ଼ିଆ ପାଇଁ ଅନେକ ଆର୍ôଥକ ସହାୟତା ଓ ସମର୍ଥନ ଦେଇ ଆସୁଛନ୍ତି ।

ଏହି ଭର୍ଚୁଆଲ ରାଲିରେ ଭୂବନେଶ୍ୱରଠାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଡା.ଲେଖାଶ୍ରୀ ସାମନ୍ତସିଂହାର, ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ; ତିର୍ତୋଲଠାରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରାଇ, ତିର୍ତୋାଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ମହାରଣା, ଦିଲୀପ ମହାନ୍ତି, ପ୍ରମୋଦ ପ୍ରଧାନ, ରୂପକ ଖୁଂଟିଆ, ମଣ୍ଡଳ ସଭାପତି ସୁନନ୍ଦ ବିଶ୍ୱାଳ, ଶୁଶାନ୍ତ ମହାନ୍ତି, ବିଶ୍ୱଜିତ ନାୟକ, ସୁଦର୍ଶନ ପଣ୍ଡା, ଆଲୋକ ପଣ୍ଡା ପ୍ରମୁଖ ସମେତ ବହୁ କାର୍ଯ୍ୟକର୍ତା ଯୋଗଦେଇଥିଲେ ।

Spread the love