ବିରୋଧୀଙ୍କ ଉପରେ ଦମନମୂଳକ ନୀତି ବନ୍ଦ କରନ୍ତୁ ରାଜ୍ୟ ସରକାର : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ୧୮/୩ : ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇବା ଲକ୍ଷ୍ୟରେ ମୋଦି ସରକାର କାର୍ଯ୍ୟ କରୁଛନ୍ତି । କିନ୍ତୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଛି । ଅଯୋଗ୍ୟ ହିତାଧିକାରୀ ତଥା ଶାସକ ଦଳର ନେତା ଓ କର୍ମୀମାନଙ୍କୁ ଏହି ଜନକଲ୍ୟାଣକାରୀ ଯୋଜନାରେ ସାମିଲ କରି ସେମାନଙ୍କୁ ପକ୍କା ଘର ବଂଟନ କରାଯାଇଛି । ଏହା ବିରୁଦ୍ଧରେ ବିଜେପି ବାରମ୍ବାର ପ୍ରତିବାଦ କରିଆସୁଥିଲେ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ବଂଟନ କରିବା ପାଇଁ ରାଜ୍ୟ ସରକାର ଚାହୁଁନାହାଁନ୍ତି । ବିଜେପି ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ତଥ୍ୟ ପ୍ରମାଣ ସହ ଦେବା ପରେ ସରକାର ବିଭିନ୍ନ ପଂଚାୟତରେ
ହିତାଧିକାରୀଙ୍କ ତାଲିକା ଲଗାଇଲେ । ସେଥିରେ ମଧ୍ୟ ଅନେକ ତୃଟ୍ରି ରହିଲା । ରାଜ୍ୟ ସରକାର ଅଭିଯୋଗ ବାକ୍ସ ପଂଚାୟତରେ ବସାଇଥିଲେ ସୁଦ୍ଧା ତାହା ବି ଆଜି ପର୍ଯ୍ୟନ୍ତ ସରିପାରିଲା ନାହିଁ । ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ ତାଲିକାରେ ଭର୍ତି କରି ସେମାନଙ୍କୁ ପକ୍କା ଘର ଦେବା ମୋହ ରାଜ୍ୟ ସରକାର ଛାଡି ପାରୁ ନାହାଁନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।  ହରିଚନ୍ଦନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ପକ୍ଷରୁ ଆନ୍ଦୋଳନ କଟକ ଜିଲ୍ଲା ମାହାଙ୍ଗା ବ୍ଲକରୁ ଆରମ୍ଭ ହୋଇଥିଲା । ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ବିଜେପି ନେତା ଶାରଦା ପ୍ରଧାନ ଏହି ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇଥିଲେ । ଏହି ଘଟଣାରେ ଶାସକ ଦଳ ନେତାଙ୍କ ପୋତ୍ସାହନରେ ବିଜେଡି କର୍ମୀମାନେ ରାଜନୌତିକ ପ୍ରତିହିଂସା ପରାୟଣ ହୋଇ ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟ ସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କଲେ । ପୂର୍ବରୁ ବିକାଶ ଜେନାକୁ ହତ୍ୟା କରାଯାଇଥିଲା । ଅପରପକ୍ଷେ ଏହି ସବୁ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ପ୍ରଫୁଲ ବିଶ୍ୱାଳଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେବା ପଛରେ ଶାସକ ଦଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ରହିଛି ବୋଲି ମୃତକ ପରିବାର ଲୋକ ଅଭିଯୋଗ କରିବା ପରେ ବି ପୋଲିସ ଚୁପ୍ ବସିଛି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏତଲାରେ ଥିବା ସତ୍ୱେ ଶାସକ ଦଳ ଚାପରେ ପୋଲିସ ତାଙ୍କୁ ତଦନ୍ତ ପରିସରଭୃକ୍ତ କରୁନାହିଁ । ଏହା ବିରୁଦ୍ଧରେ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ୧୦ ଦିନ ଭିତରେ ଘଟଣାର ତଦନ୍ତ କରି ସମସ୍ତଙ୍କୁ ଗିରଫ କରିବା ନେି ପୋଲିସ ଡିଜି ପ୍ରତିଶୃତି ଦେବା ପରେ ବି ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ । ପାୱାର କରିଡର ଚାପରେ ପୋଲିସ ପ୍ରଶାସନ ଅସହାୟ ହୋଇପଡିଛି ବୋଲି ସ୍ପଷ୍ଟ ଜଣାପଡୁଛି । ରାଜନୈତିକ ଦୃଷ୍ଟିକୋଣରୁ ବିରୋଧ କଲେ ତାର ଉତର କ’ଣ ହତ୍ୟା ? ମୁଖ୍ୟମନ୍ତ୍ରୀ ରାଜନୈତିକ ସ୍ତରରେ ବିରୋଧୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଅପପ୍ରୟାସ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ୍ କ୍ରିୟାନ୍ୱୟନ ଭାରତ ବର୍ଷର ସମସ୍ତ ରାଜ୍ୟରେ ଦ୍ରୁତ ଗତିରେ ଚାଲିଛି । କିନ୍ତୁ ରାଜ୍ୟରେ ବିଗତ ଦେଢ ବର୍ଷ ଧରି ଗୋଟିଏ ବି ୱାର୍କ ଅର୍ଡର ଦିଆଯାଇ ନାହିଁ । ଆବାସ ଯୋଜନା 

କେଳେଙ୍କାରୀ ବିରୁଦ୍ଧରେ ପ୍ରତିବାଦ କରିଥିବାରୁ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରାଗଲା ଏବଂ ଏବେ ବିଜେପି ନେତା ଶାରଦା
ପ୍ରଧାନଙ୍କୁ ମିଛ କେସରେ ଛନ୍ଦି ଭୟ ଦେଖାଉଛନ୍ତି । ଏହା ବିରୁଦ୍ଧରେ ବିଜେପି ଲଢେଇ ଜୋରଦାର କରିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।
ରାଜ୍ୟ ସରକାର ଗାଁ ଟାଉଟର ଭଳି କରୁଥିବା କାର୍ଯ୍ୟ ବନ୍ଦ କରୁନ୍ତୁ । କୁଳମଣି ବରାଲ ଓ ଦିବ୍ୟ ସିଂହ ବରାଳଙ୍କ ହତ୍ୟା ପଛରେ ଷଡଯନ୍ତ୍ର ରଚିଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୃକ୍ତ କରାଯାଉ । ମାହାଙ୍ଗା ଡବଲ ମର୍ଡର ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଗତକାଲିଠାରୁ ମହାଙ୍ଗା ନିର୍ବାଚନମଣ୍ଡଳୀ ଠାରୁ ପଦଯାତ୍ରା ବାହାରି ବିଧାନସଭା ଅଭିମୁଖେ ଆସୁଛି । କୁଳମଣି ବରାଲ, ଦିବ୍ୟ ସିଂହ ବରାଳ ଓ ବିକାଶ ଜେନାଙ୍କୁ ନ୍ୟାୟ ଦେବା ଏବଂ ପ୍ରଧାନମନ୍ତ୍ରା ଆବାସ ଯୋଜନାର ସଠିକ କ୍ରିୟାନ୍ୱୟନ ହେବା ଦାବିରେ ଆସନ୍ତା ୨୦ ତାରିଖରେ ବିଧାନସଭା ଘେରାଓ କରାଯିବ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଧ୍ୱଂସ ହେବାକୁ ବସିଛି । ଶାସକ ଦଳ ଆଇନକୁ ହାତକୁ ନେଇ ଧମକ
ଦେବାର କୁଅଭ୍ୟାସକୁ ବନ୍ଦ ନକଲେ ଆଗାମୀ ଦିନରେ ବିଜେପି ରାଜନୈତିକ ଲଢେଇ ଜରିଆରେ ଏହାର ଜବାବ ଦେବ ବୋଲି ଶ୍ରୀ ହରିଚନ୍ଦନ ଚେତାବାନୀ ଦେଇଛନ୍ତି ।

Spread the love