ପରିବର୍ତ୍ତିତ ଜୀବନଶୈଳୀ ‘ଷ୍ଟ୍ରୋକ୍‌’ ନିୟନ୍ତ୍ରଣ ଲାଗି ଏକ ବଡ଼ ଅସ୍ତ୍ର ହୋଇପାରିବ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ବିଭିନ୍ନ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ମଧ୍ୟରେ ଷ୍ଟ୍ରୋକ୍‌ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ହୋଇଛି। ଏହା ଆଜି ସାରା ପୃଥିବୀ ପାଇଁ ବିରାଟ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଦେଖାଦେଇଛି। ତେଣୁ ଏ ସଂପର୍କରେ ବ୍ୟାପକ ସଚେତନତା କରାଯାଇପାରିଲେ ଆମେ ଆଗାମୀ ଦିନରେ ଷ୍ଟ୍ରୋକ୍‌କୁ ନିୟନ୍ତ୍ରଣ କରିପାରିବା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଦେଶରେ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କ ଷ୍ଟ୍ରୋକ୍‌ରେ ମୃତ୍ୟୁ ହେଉଛି। ଅଧିକାଂଶ କ୍ଷେତ୍ରରେ ରୋଗୀମାନଙ୍କୁ ବହୁ ବିଳମ୍ୱରେ ଡାକ୍ତରଖାନାକୁ ନିଆଯାଉଥିବାରୁ ସେମାନଙ୍କ ଚିକିତ୍ସା ବିଶେଷ ପ୍ରଭାବଶାଳୀ ହୋଇପାରୁ ନାହିଁ। ତେଣୁ କୌଣସି ବ୍ୟକ୍ତିଙ୍କ ମସ୍ତିଷ୍କାଘାତର ସନ୍ଦେହ ହେଲେ ତାଙ୍କୁ ଚାରିରୁ ସାଢ଼େ ଚାରି ଘଣ୍ଟା ମଧ୍ୟରେ ଷ୍ଟ୍ରୋକ ଚିକିତ୍ସା ଉପଲବ୍ଧ ଥିବା ଡାକ୍ତରଖାନାରେ ପହଞ୍ଚାଇବା ଜରୁରୀ”, କହିଛନ୍ତି ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ବୁଧବାର ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ମିଡିଆ ସଚେତନତା କର୍ମଶାଳାରେ ଡାକ୍ତର ଜେନା ଏହା କହିଛନ୍ତି।

ଅଣସଂକ୍ରାମକ ରୋଗ ମଧ୍ୟରେ ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ ଏବଂ ଷ୍ଟ୍ରୋକ୍‌ ଆଜି ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। ତା’ ଭିତରେ ଷ୍ଟ୍ରୋକ୍‌ ବର୍ତ୍ତମାନ ଲୋକଙ୍କ ଜୀବନକୁ ଅଧିକ ମାତ୍ରରେ ପ୍ରଭାବିତ କରୁଛି। ଷ୍ଟ୍ରୋକ୍‌ରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ନିଜର ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ। ତେଣୁ ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ସହ ଷ୍ଟ୍ରୋକ୍‌ ମୁକାବିଲା ଲାଗି ଆବଶ୍ୟକ ନୀତି ନିର୍ଦ୍ଧାରଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ସରକାରଙ୍କୁ ସଜାଗ କରିବା ଦରକାର”, କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ତଥା ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ପ୍ରଣବ କୁମାର ବେବର୍ତ୍ତା ପଟ୍ଟନାୟକ।

ଏହି କର୍ମଶାଳାରେ ‘ଷ୍ଟ୍ରୋକର ପ୍ରତିଷେଧକ ଓ ପରିଚାଳନା’ ଏବଂ ‘ଷ୍ଟ୍ରୋକ – ଏକ ଜନସ୍ୱାସ୍ଥ୍ୟ ଆହ୍ୱାନ’ ଶୀର୍ଷକରେ ଦୁଇଟି ସେସନ ରହିଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଷ୍ଟ୍ରୋକ୍‌ ସଂପର୍କରେ ବ୍ୟାପକ ଧାରଣା ଦେବା ସହ ଅଂଶଗ୍ରହଣ କରିଥିବା ମିଡିଆ କର୍ମୀ ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ଆରଏମ୍‌ଆରସି ଭୁବନେଶ୍ୱର, ଇଣ୍ଡିଆନ ପବ୍ଲିକ ହେଲଥ୍‌ ଆସୋସିଏସନ୍‌, ପବ୍ଲିକ ହେଲଥ୍‌ ଫାଉଣ୍ଡେସନ୍‌ ଅଫ ଇଣ୍ଡିଆ (ପିଏଚ୍‌ଏଫ୍‌ଆଇ) ଏବଂ କେୟାର ହସ୍ପିଟାଲ ଭୁବନେଶ୍ଵର ଏହି ସ୍ୱାସ୍ଥ୍ୟ ସଚେତନତା ଅଭିଯାନର ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି। ପିଏଚଏଫଆଇର ନିର୍ଦ୍ଦେଶକ ପ୍ରଫେସର ଶ୍ରୀଧର ମୁରଲୀଧର ରାଓ କଦମ ଏବଂ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କାର୍ଯ୍ୟକ୍ରମର ପରାମର୍ଶଦାତା ରହିଥିବା ବେଳେ ଆଇଏଫଆଇ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଦ୍ଧାର୍ଥ ରଥ ଏହି ଅଭିଯାନର ନିର୍ଦ୍ଦେଶକ ରହିଛନ୍ତି। ଆଇଏଫ୍‌ଆଇ ଫାଉଣ୍ଡେସନ୍‌ ୱାର୍ଲଡ ଷ୍ଟ୍ରୋକ୍‌ ଅର୍ଗାନାଇଜେସନ୍‌ର ସଦସ୍ୟ ଭାବେ ଯୋଗ ଦେଇଛି। ସାଧାରଣଲୋକଙ୍କୁ ଷ୍ଟ୍ରୋକ୍‌ ବିଷୟରେ ସଚେତନ କରିବା ତଥା ଏହାର ନିୟନ୍ତ୍ରଣ ପାଇଁ ଫାଉଣ୍ଡେସନ ଆଗାମୀ ଦିନରେ ବ୍ୟାପକ କାର୍ଯ୍ୟକ୍ରମ ପାଇଁ ଲକ୍ଷ୍ୟ ରଖିଛି।

Spread the love