ରାଜ୍ୟ ପୁନର୍ଗଠନ କ୍ଷମତା: ରାଷ୍ଟ୍ରପତିଙ୍କୁ ବାରଣ କରିନାହିଁ ସମ୍ବିଧାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ‌ଯେ କୌଣସି ରାଜ୍ୟର ପୁନର୍ଗଠନ କରିପାରିବେ, ଏଥିପାଇଁ ସମ୍ବିଧାନରେ କିଛି ବାରଣ ନାହିଁ ବୋଲି ବୁଧବାର ୩୭୦ ଧାରା ଉଚ୍ଛେଦ ଓ ଜମ୍ମୁ-କାଶ୍ମୀରକୁ ଭାଙ୍ଗି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ବିରୋଧରେ ଆଗତ ଆବେଦନଗୁଡ଼ିକର ଶୁଣାଣି କରିବା ଅବସରରେ ସୁପ୍ରିମ୍‌କୋର୍ଟ କହିଛନ୍ତି।

ଆବେଦନକାରୀଙ୍କ ତରଫରୁ ଯୁକ୍ତି କରାଯାଇଥିଲା ଯେ ରାଷ୍ଟ୍ରପତି ଶାସନ ସମୟରେ ଜମ୍ମୁ-କାଶ୍ମୀରକୁ ବିଭାଜିତ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇପାରି ନାହିଁ ଏବଂ ୩୭୦ ଧାରାର ଉଚ୍ଛେଦ କରାଯିବା ମଧ୍ୟ ଅନୁଚିତ କାରଣ ଏହି କ୍ଷମତା କେବଳ ଜମ୍ମୁ-କାଶ୍ମୀର ସମ୍ବିଧାନ ସଭାର ଥିଲା। ଏହାର ଉତ୍ତରରେ କୋର୍ଟ କହିଲେ ଯେ, ଏହି ଯୁକ୍ତି ଅତି ବ୍ୟାପକ ଓ ଆଦୌ ଗ୍ରହଣୀୟ ନୁହେଁ। କୋର୍ଟ କହିଲେ ଯେ, ଧରାଯାଉ ଦୁଇଟି ରାଜ୍ୟ ଭିତରେ ବିବାଦ ଦେଖା ଦେଲା ଓ ସମାଧାନ କରିବା ସମ୍ଭବ ହେଲା ନାହିଁ। ସେ କ୍ଷେତ୍ରରେ କେନ୍ଦ୍ର ହସ୍ତକ୍ଷେପ କରି ଦୁଇ ରାଜ୍ୟର ସୀମା ପୁନଃନିର୍ଦ୍ଧାରଣ କରିପାରିବେ। ତେଣୁ କୌଣସି ରାଜ୍ୟର ପୁନର୍ଗଠନ ବା ସୀମା ପୁନଃନିର୍ଦ୍ଧାରଣ କରିବାର କ୍ଷମତା କେନ୍ଦ୍ର ସରକାରଙ୍କର ତଥା ରାଷ୍ଟ୍ରପତିଙ୍କର ରହିଛି ବୋଲି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ସମ୍ବିଧାନ ବେଞ୍ଚ କହିଥିଲେ। ଏହି ବେଞ୍ଚରେ ଥିବା ଅନ୍ୟ ବିଚାରପତିମାନେ ହେଉଛନ୍ତି ଜଷ୍ଟିସ୍ ସଞ୍ଜୟ କିଷନ କୌଲ, ସଞ୍ଜୀବ ଖାନ୍ନା, ବିଆର୍ ଗୱାଇ ଓ ସୂର୍ଯ୍ୟ କାନ୍ତ। ଖଣ୍ଡପୀଠ କହିଲେ ଯେ, ଏହିପରି ଅନେକ ପରିସ୍ଥିତି ରହିଛି, ଯାହାକୁ ସଂଜ୍ଞାକୃତ କରାଯାଇପାରିବ ନାହିଁ। ତେଣୁ କୌଣସି ରାଜ୍ୟର ସୀମା ପୁନଃନିର୍ଦ୍ଧାରଣ କରିବାରେ ରାଷ୍ଟ୍ରପତିଙ୍କ କ୍ଷମତାକୁ ସୀମିତ କରାଯାଇପରିବ ନାହିଁ। କୌଣସି ରାଜ୍ୟର ସାମ୍ବିଧାନିକ ବ୍ୟବସ୍ଥା ଅଚଳ ହେଲେ ଧାରା ୩୫୬ ଅନୁସାରେ ସେଥିରେ ରାଷ୍ଟ୍ରପତି ହସ୍ତକ୍ଷେପ କରିପାରିବେ ଏବଂ ଧାରା ସ୍ଥାପନ କରିଥିଲେ୩୫୬(୧)(ସି) ଅନୁସାରେ ରାଷ୍ଟ୍ରପତି ଆବଶ୍ୟକ ସୁଫଳ ପ୍ରଦାନକାରୀ ପରିବର୍ତ୍ତନ କରିପାରିବେ।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ରାଜୀବ ଧାବନ ଶୁଣାଣିର ଷଷ୍ଠଦିନରେ ତାଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ। ଜମ୍ମୁ-କାଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ପ୍ରଦାନ କରି ସାନି ନିର୍ବାଚନ ପାଇଁ ଆଦେଶ ଦେବାକୁ ସେ ଅନୁରୋଧ କରିଥିଲେ। ଆଉ ଜଣେ ଆବେଦନକାରୀଙ୍କ ଓକିଲ ଦୁଷ୍ୟନ୍ତ ଡାଭେ ମଧ୍ୟ ତାଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ। ନ୍ୟାସନାଲ କନଫରେନ୍ସ ପକ୍ଷରୁ ଅଗଷ୍ଟ ୨୦୧୯ରେ ରାଷ୍ଟ୍ରପତି ଶାସନ ପରେ ପରେ ୩୭୦ ଧାରା ଉଚ୍ଛେଦ ଓ ରାଜ୍ୟର ବିଭାଜନକୁ ଚ୍ୟାଲେଞ୍ଜ କରାଯାଇଥିଲା। ଗୁରୁବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

Spread the love