ରାଜ୍ୟ ସରକାରଙ୍କ ସଂଖ୍ୟା ପରିସଂଖ୍ୟାନ ନୁହେଁ, ବରଂ ଯୁବକଙ୍କ ପ୍ରତି ପରିହାସ: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର, ତା.୧୮/୦୧: ରାଜ୍ୟ ସରକାର ଗତ ୨୩ ବର୍ଷ ଧରି ରାଜ୍ୟର ଯୁବପୀଢିକୁ ନିରନ୍ତର ଭାବେ ପ୍ରତାରଣା କରିଆସିଛନ୍ତି । ନିଜ ଭାବମୂର୍ତିକୁ ବଂଚାଇବା ପାଇଁ ବିଭିନ୍ନ ସମୟରେ ଅନାମଧେୟ ଓ ଅବିଶ୍ୱସନୀୟ ସଂସ୍ଥାମାନଙ୍କ ପ୍ରାୟୋଜିତ ରିପୋର୍ଟକୁ ଆଧାର କରି ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଛି । ରାଜ୍ୟ ସରକାରଙ୍କ ସଂଖ୍ୟା ପରିସଂଖ୍ୟାନ ନୁହେଁ, ବରଂ ଯୁବକଙ୍କ ପ୍ରତି ପରିହାସ ଅଟେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ନିକଟରେ ଅନୁଷ୍ଠିତ ଷ୍ଟାର୍ଟ ଅଫ ମେଳାକୁ ଉଦବୋଧନ ଦେଇ ରାଜ୍ୟ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଅନେକ ମିଥ୍ୟା ତଥ୍ୟର ଅବତାରଣା କରିଛନ୍ତି । ତାଙ୍କ ମତରେ କାଳେ ସର୍ବଭାରତୀୟ ସ୍ତରରେ ନିବେଶ ପ୍ରସ୍ତାବର ୨୦ ପ୍ରତିଶତ କାର୍ଯ୍ୟକାରୀ ହୋଇଥିବାବେଳେ ଓଡିଶାରେ ଏହି ହାର ୩୨ ପ୍ରତିଶତ ଅଛି । କିନ୍ତୁ ବିଧାନସଭାରେ ଏକ ପ୍ରଶ୍ନର ଉତର ଦେଇ ରାଜ୍ୟ ସରକାର ସ୍ୱୀକାର କରିଥିଲେ ଯେ, ୨୦୧୬ ଓ ୨୦୧୮ ମେକ୍ ଇନ୍ ଓଡିଶା କନକ୍ଲେଭର ଦୁଇଟି ସଂସ୍କରଣରେ ଓଡିଶାକୁ ୬ଲକ୍ଷ ୨୬ ହଜାର କୋଟି ଟଙ୍କା ପୁଞ୍ଜି ନିବେଶର ପ୍ରସ୍ତାବ ଆସିଥିବାବେଳେ ବର୍ତମାନ ସୁଦ୍ଧା ୫୬୭୪ କୋଟି ଟଙ୍କାର କାର୍ଯ୍ୟକାରୀ ହୋଇଛି । ଯାହାକି ନିବେଶ ପ୍ରସ୍ତାବର ମାତ୍ର ୧ ପ୍ରତିଶତ । ସେହିପରି ଏହି ଦୁଇଟି ସଂସ୍କରଣରେ ୭ଲକ୍ଷ ୨୮ ହଜାର ୬୮୧ ନିଯୁକ୍ତିର ଆଶ୍ୱାସନା ଦିଆଯାଇଥିବାବେଳେ ନିଯୁକ୍ତି ପାଇଥିଲେ ମାତ୍ର ୫୮୭୮ । ଯାହାକି ଆଶ୍ୱାସନାର କେବଳ ୦.୭୯ ପ୍ରତିଶତ ଅଟେ । ପ୍ରସ୍ତାବିତ ୨୮୬ଟି ପ୍ରକଳ୍ପରୁ ମାତ୍ର ୧୬ଟି କାର୍ଯ୍ୟକାରୀ ହୋଇଛି, ଅର୍ଥାତ ୫.୬ ପ୍ରତିଶତ । ଏହାକୁ କଣ ଏକ ସଫଳ ପୁଞ୍ଜି ନିବେଶ ବୋଲି କୁହାଯାଇପାରିବ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।
ଅର୍ଥନୀତିର ଗ୍ଲୋବାଲାଇଜେସନରେ ପୁଞ୍ଜି, ଶ୍ରମ, ବୈଷୟିକ ଜ୍ଞାନ ଏବଂ ଦ୍ରବ୍ୟ ଓ ସେବାର ଅବାଧ ଆନ୍ତରାଷ୍ଟ୍ରୀୟ ଯାତାୟତକୁ ପ୍ରାଧାନ୍ୟ ଦିଆଯାଇଥାଏ । ସେ ଦୃଷ୍ଟିରୁ ୨୦୧୯ ରୁ ୨୦୨୨ ମଧ୍ୟରେ ମହାରାଷ୍ଟ୍ରକୁ ୪୭୦୦ କୋଟି ଡଲାର ; କର୍ଣ୍ଣାଟକକୁ ୩୯୦୦ କୋଟି ଡଲାର ; ଗୁଜୁରାଟକୁ ୩୦୦୦ କୋଟି ଡଲାର ; ଦିଲ୍ଲୀକୁ ୨୨୦୦ କୋଟି ଡଲାର ; ଏପରିକି ଝାରଖଣ୍ଡକୁ ୨୬୦ କୋଟି ଡଲାର ଏବଂ ଦାଦ୍ରା-ନଗର-ହାବେଳୀ-ଦାମନ-ଡିଉ ଭଳି ଛୋଟିଆ ରାଜ୍ୟକୁ ମଧ୍ୟ ୧୫ କୋଟି ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ଆସିଥିବାବେଳେ ଓଡିଶାକୁ ମାତ୍ର ୧୪.୮ କୋଟି ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ହୋଇଛି । କନକ୍ଲେଭର ସଫଳତା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ବିଦେଶ ଗସ୍ତ କରି ମଉଜ ମଜଲିସ୍ କରିଥିବାବେଳେ ଗରୀବ ଓଡିଆ ଟିକସଦାତାଙ୍କ ଅର୍ଥକୁ କିଭଳି ଆତ୍ମସାତ କରାଯାଇଛି, ତାହା ଏଥିରୁ ସ୍ପଷ୍ଟ ଅନୁମେୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ସମଗ୍ର ଦେଶର ଷ୍ଟାର୍ଟଅଫ୍ ବ୍ୟବସ୍ଥାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ଶିଳ୍ପମନ୍ତ୍ରୀ ବାହାସ୍ପୋଟ ମାରିଛନ୍ତି । କିନ୍ତୁ, ସମଗ୍ର ଦେଶରେ ୮୮ ହଜାର ଷ୍ଟାର୍ଟଅଫ୍ ଚିହ୍ନଟ ହୋଇଥିବାବେଳେ ଓଡିଶାରେ ମାତ୍ର ୧୪୩୪ଟି ଚିହ୍ନଟ ହୋଇଛି । ୧୦୦ କୋଟି ଡଲାରରୁ ଅଧିକ ନିବେଶ ହୋଇଥିବା ଷ୍ଟାର୍ଟଅଫ୍ ବା ୟୁନିକର୍ଣ୍ଣଙ୍କ ସଂଖ୍ୟା ଦେଶରେ ୧୦୦ରୁ ଅଧିକ ହୋଇଥିବାବେଳେ ଓଡିଶାରେ ମାତ୍ର ଶୁନ୍ୟ ରହିବା ଦୁର୍ଭାଗ୍ୟଜନକ । ଏହା ସତ୍ୱେ ଓଡିଶା ସରକାର ନିଜକୁ ସର୍ବଶ୍ରେଷ୍ଠ ବୋଲି ଦାବୀ କରିବା ବାହାପିଆଙ୍କ ବାରବାଟୀ ଚାଷ ବୋଲି ଶ୍ରୀ ପଣ୍ଡା କଟାକ୍ଷ କରି କହିଛନ୍ତି ।
ସେହିପରି ଗତ ଡିସେମ୍ବର ମାସର ସିଏମଆଇଇ ତଥ୍ୟକୁ ନେଇ ଶାସକ ବିଜେଡି ବେଶ ଉତ୍‌ଫୁଲ୍ଲିତ ହୋଇଥିବାର ଲକ୍ଷ୍ୟ କରାଯାଇଥିଲା । ଏହି ସଂସ୍ଥାର ପୃଷ୍ଟଭୁମିକୁ ବିଶେଷ ଆଲୋଚନା ନକରି ଓଡିଶାରେ ବେରୋଜଗାର ହାର ମାତ୍ର ୦.୯୦ ପ୍ରତିଶତ ରହିବା ତଥ୍ୟକୁ ଅବିଶ୍ୱସନୀୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଅନ୍ୟ ପକ୍ଷରେ ରିଜର୍ଭ ବ୍ୟାଂକର ସଦ୍ୟତମ ପ୍ରକାଶିତ “ହ୍ୟାଣ୍ଡ ବୁକ୍ ଅଫ୍ ଷ୍ଟାଟିସଟିକ୍ସ ଅନ୍ ଇଣ୍ଡିଆନ ଷ୍ଟେଟସ୍‌” ର ତଥ୍ୟ ଅନୁଯାୟୀ ଭାରତର ଗ୍ରାମାଂଚଳରେ ପ୍ରତି ହଜାର ଜନସଂଖ୍ୟାରେ ୩୩ ଜଣ ବରୋଜଗାର ଥିବାବେଳେ ଓଡିଶାରେ ତାହା ୧୦୦୦ ରେ ୫୦ ରହିଛି । ସେହିପରି ଭାରତର ସହରାଂଚଳର ପ୍ରତି ହଜାର ଜନସଂଖ୍ୟାରେ ୬୭ ଜଣ ବରୋଜଗାର ଥିବାବେଳେ ଓଡିଶାରେ ତାହା ୧୦୦୦ ରେ ୭୮ ରହିଛି । ତେଣୁ ଓଡିଶାର ବେରୋଜଗାର ସମସ୍ୟା ସର୍ବଭାରତୀୟ ସମସ୍ୟାଠାରୁ ଅଧିକ ଉତ୍କଟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love