ନବ ଦାସ ହତ୍ୟା ଘଟଣା: କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନେଇ ଏମିତି ବିବୃତି ରଖିଲେ ତିନି ଦଳର ନେତା

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସମେତ ବିଜେଡି ବିଧାୟକ ନିଜ ନିଜର ବିବୃତି ରଖିଛନ୍ତି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନବ କହିଛନ୍ତି, ପ୍ରତ୍ୟେକ ହତ୍ୟାର ଗୋଟେ କାରଣ ଓ ଉଦ୍ଦେଶ୍ୟ ଥାଏ। କୌଣସି ବି ହତ୍ୟା ବିନା କାରଣରେ ହୁଏନି। ଗତ ୨୯ ତାରିଖରେ ନବ ଦାସଙ୍କ ହତ୍ୟାକାଣ୍ଡ ଜଣେ ପୁଲିସ ଅଧିକାରୀଙ୍କ ଦ୍ଵାରା ହେଲା ବୋଲି ଆମେ ଜାଣିଛୁ। କିନ୍ତୁ ଅନେକ ରହସ୍ୟ ଏଥିରେ ରହୁଛି। ଯେଉଁ ଭଳି ତାଙ୍କୁ ଗୁଳି କରାଯାଇଛି ସେଠି ହିଁ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ନାଟକୀୟ ଢ଼ଙ୍ଗରେ ତାଙ୍କୁ ଭୁବନେଶ୍ୱରକୁ ଅଣଗଲା। ସେଠିକାର ଏସ୍‌ପି ସେହି ସମୟରେ କାହା ସହ କଥା ହେଉଥିଲେ। କାହା ନିର୍ଦ୍ଦେଶରେ ନବଙ୍କୁ ଭୁବନେଶ୍ୱର ଅଣାଗଲା ତାହା ତଦନ୍ତ ହେବା କଥା। ଯଦି ବଞ୍ଚିଥିଲେ ଝାରସୁଗୁଡ଼ାରେ କାହିଁକି ତାଙ୍କୁ ରକ୍ତ ଆଉ ସାଲାଇନ ଦିଆଗଲା ନାହିଁ। କିପରି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ତାଙ୍କୁ ହାତ ଯୋଡି ନମସ୍କାର କଲେ।

ଆପୋଲ ହସ୍ପିଟାଲରେ ହୋଇଥିବା ଇସିଜି ରିପୋର୍ଟକୁ ସାର୍ବଜନୀନ କରାଯାଉ। ମୃତ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର ହେଲା। ତାଙ୍କୁ ଆଇ ସିୟୁରେ ଭର୍ତ୍ତି କରାଗଲା ଆଉ ମୃତ୍ୟୁର ସମୟ ଗଡ଼େଇ ଦିଆଗଲା। ଗୋପାଳ ପାଗଳ ବୋଲି ପୁଲିସ କାହିଁକି ବାରମ୍ବାର କହିଲା ତାହା ସନ୍ଦେହ ବଢ଼ାଉଛି। ମୁଖ୍ୟମନ୍ତ୍ରୀ କହିଲେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜୁଡିସିଆରି ତଦନ୍ତ ହେଉଛି। ତାହା ସମ୍ପୂର୍ଣ୍ଣ ମିଛ। ଯଦି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜୁଡିସାରି ତଦନ୍ତ ହେଉଛି ତାହାର ନାମ କାଗଜକୁ ଗୃହରେ ରଖନ୍ତୁ। କ୍ରାଇମବ୍ରାଞ୍ଚର ତଦନ୍ତ ସମ୍ପୂର୍ଣ୍ଣ ସନ୍ଦେହଜନକ ଓ ଦିଗହରା। ଆମେ ଷଡ଼ଯନ୍ତ୍ର କଥା କହୁଛୁ, ସିବିଆଇକୁ ଦେବା କଥା କହୁଛୁ। ଯଦି ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କେଉଁଠି ଷଡ଼ଯନ୍ତ୍ର କଥା କହିଲେନି କିନ୍ତୁ ତାଙ୍କର ମନ୍ତ୍ରୀ ବିରୋଧୀ ଦଳ ନେତା ଓ କେନ୍ଦ୍ର ମନ୍ତ୍ରୀଙ୍କ ସମ୍ପୃକ୍ତି ଷଡ଼ଯନ୍ତ୍ର କଥା କହିଲେ। ତେବେ ଆମେ କହୁଛୁ ଯଦି ସନ୍ଦେହ ହେଉଛି ତେବେ ଆମକୁ ବି ତଦନ୍ତ ପରିସରଭୁକ୍ତ କରଯାଉ।

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଏକ ସାମାନ୍ୟ ମୃତ୍ୟୁ ସମସ୍ତଙ୍କୁ ଦୁଃଖ ଦିଏ। ଅମାନୁଷିକ ହତ୍ୟା ହୃଦୟ ବିଦାରକ ଜଘନ୍ୟ ହତ୍ୟାକାଣ୍ଡକୁ କେହି ପସନ୍ଦ କରିବେନି। ସମସ୍ତଙ୍କୁ ଦୁଃଖ ଦିଏ ଗୃହ ଏବଂ ଗୃହ ବାହାରେ ଆଲୋଚନା ହେଉଛି ତଥ୍ୟ ନାହିଁ ସତ୍ୟ ନାହିଁ। ଚାହା ଖଟିରେ ଗପ ଭଳି ଲାଗୁଛି।  ଅବାନ୍ତର ଆଲୋଚନାକୁ କେତେଧୁର ବିଶ୍ୱାସ କରାଯାଇପାରେ ଓଡ଼ିଶା ବସି ବିଚାର କରିବେ। ଆପୋଲୋ ହସ୍ପିଟାଲରେ ନବ ଦାସଙ୍କ ପାଖରେ ଯିଏ ଥିଲା, ସେ ହିଁ ଜାଣିଥିଲା ସେଠାର ପରିସ୍ଥିତି ଏବଂ ମୁଣ୍ଡିଆ ମାରିବା ଅର୍ଥ ହେଉଛି ସମସ୍ତେ ଠାକୁରଙ୍କୁ ଡାକୁଥିଲେ ଜୀବନ ବଞ୍ଚାଇବା ପାଇଁ ପ୍ରାର୍ଥନା କରୁଥିଲେ। ନବ ଦାସଙ୍କ ଶୁଦ୍ଧି କ୍ରିୟା ସରି ନଥିବାବେଳେ, ଯେଉଁ ଭଳି ବୟନବାଜୀ କରାଗଲା ତାହା ସମସ୍ତଙ୍କୁ ବ୍ୟଥିତ କରୁଛି। ସରକାର ତଦନ୍ତରେ ଏଫବିଆଇର ସହଯୋଗ ନେବାକୁ ଚାହିଁଛନ୍ତି, ସିବିଆଇ ଯେଉଁ ପ୍ରକ୍ରିୟାରେ ତଦନ୍ତ କରେ, କ୍ରାଇମବ୍ରାଞ୍ଚ ମଧ୍ୟ ସେହି ପ୍ରକ୍ରିୟା ଆପଣାଉଛି। ବିରୋଧୀଙ୍କ ପାଖରେ ଯାହା ତଥ୍ୟ ଏବଂ ସତ୍ୟ ଅଛି ତାକୁ କ୍ରାଇମବ୍ରାଞ୍ଚକୁ ଦିଅନ୍ତୁ। ବାରମ୍ବାର ମିଥ୍ୟା ଅଭିଯୋଗ କରି, ନିଆଁ ନଥାଇ ଧୂଆଁ ଉଠାଇବା। ତଦନ୍ତକାରି ଟିମର ମନୋବଳ ଭାଙ୍ଗୁଛି। ଷଡ଼ଯନ୍ତ୍ରରୁ ନିବୃତ୍ତ ରୁହନ୍ତୁ। ସିବିଆଇଠୁ ବହୁତ ଭଲ କ୍ରାଇମବ୍ରାଞ୍ଚ। ନବୀନ ପଟ୍ଟନାୟକ ବହୁତ ସମ୍ବେଦନଶୀଳ, ଦୋଷୀକୁ କଠୋର ଦଣ୍ଡ ଦିଅନ୍ତି। ବିରୋଧୀ ଧୈର୍ଯ୍ୟ ଧରନ୍ତୁ, ତଦନ୍ତ ରିପୋର୍ଟକୁ ଅପେକ୍ଷା କରନ୍ତୁ।

କେଉଁ କାରଣ ପାଇଁ ନବ ଦାସଙ୍କୁ ହତ୍ୟା କରାଯାଇଛି ତାହା ତଦନ୍ତ ହେଉ। ଫ୍ଲାଏ ଆସ ପାଇଁ, ନା ଜମି ପାଇଁ ନା ବ୍ୟବସାୟୀକ ଶତ୍ରୁତା ପାଇଁ ନା ସାମ୍ରାଜ୍ୟ ଦଖଲ ପାଇଁ ତାହା ତଦନ୍ତ ହେଉ। ରାଜନୀତି କରା ନଯାଉ। ଏସଆଇଟି ଗଠନ କରି ତଦନ୍ତ ହେଉ। ଉଭୟ ଦୋଷୀ ଓ ଦୋଷୀ ପଛରେ ଥିବା ବ୍ୟକ୍ତିକୁ ଫାଶୀ ଦିଆଯାଉ। ହତ୍ୟାକାଣ୍ଡକୁ ନେଇ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଲେ ସାଲୁଜା। ଫ୍ଲାଏ ଆସକୁ ନେଇ ଉଭୟ ନବ ଓ ସୁଶାନ୍ତଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହା ସହିତ ସାଧାରଣ ନିର୍ବାଚନରେ ବି ଝାରସୁଗୁଡାରେ ନବଙ୍କୁ ହରାଇ ପାଇଁ ସୁଶାନ୍ତ ଗୁଣ୍ଡା ଆଣି ଯୋଜନା କରିଥିଲେ ବୋଲି ତାଙ୍କୁ କହିଥିବା କହିଲେ ସାଲୁଜା। ସେହିପରି ପାଇକମାଳରେ ନବଙ୍କ ଦାୟିତ୍ୱରେ ଥିବା ଅଞ୍ଚଳର ଭୋଟ କମେଇବା ପାଇଁ ସୁଶାନ୍ତ କାର୍ଯ୍ୟ କରିଥିଲେ ବୋଲି ନବ ସାଲୁଜାଙ୍କୁ କହିଥିଲେ ବୋଲି ଗୃହରେ ବିବୃତି ରଖିବା ବେଳେ କହିଛନ୍ତି ସାଲୁଜା।

Spread the love