ସୂଚନା ଅଧିକାର କର୍ମୀ କହି କୋଟିକୋଟି ଟଙ୍କା ଠକେଇ ମାମଲା: ମାଷ୍ଟରମାଇଣ୍ଡ କାହ୍ନୁ ଚରଣ ପ୍ରଧାନ ଗିରଫ

ଭୁବନେଶ୍ବର: ସୂଚନା ଅଧିକାର କର୍ମୀ କହି ଠକେଇ ମାମଲାରେ ମାଷ୍ଟରମାଇଣ୍ଡ କାହ୍ନୁ ଚରଣ ପ୍ରଧାନ ଗିରଫ। ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ପୂର୍ବରୁ ଏହି ମାମଲାରେ ଏସଟିଏଫ୍ କିଶୋର ମିଶ୍ରକୁ ଗିରଫ କରିଥିଲା।
କାହ୍ନୁ ଚରଣ ପ୍ରଧାନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ବାସିନ୍ଦା, କିନ୍ତୁ ଭୁବନେଶ୍ୱରରେ ରହୁଥିବା ଜଣାଯାଇଛି। ସେ ଜଣେ ସ୍ନାତକ। ପୂର୍ବରୁ ସେ ଏକ ମଦ ଦୋକାନ ଚଳାଉଥିଲା। କାହ୍ନୁ ଚରଣ ପ୍ରଧାନ ନାମରେ ମାମଲା ପ୍ରଥମେ କୋରାପୁଟରେ ଏକ ମାମଲା ପଞ୍ଜୀକୃତ ହୋଇଥିଲା। ପରେ ଏସଟିଏଫକୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଥିଲା।ଅତୀତରେ କାହ୍ନୁ ଚରଣ ବିରୋଧରେ ଅନେକ ମାମଲା ରହିଛି। ଯାହା ପଞ୍ଜୀକୃତ ବି ହୋଇଛି। ସେ ଅତି କମରେ ଚାରିଟି ଠକେଇ ମାମଲାରେ ଜଡ଼ିତ ଥିବା ଜଣାଯାଇଛି। ଅନେକ ଲୋକ  ସଚିବ / ଅତିରିକ୍ତ ସଚିବ ଇତ୍ୟାଦି ଭାବରେ କାହ୍ନୁ ଚରଣ ପ୍ରଧାନର ନାଆଁକୁ ନିଜ ମୋବାଇଲରେ ଷ୍ଟୋର୍ କରିଥିବା ଜଣାଯାଇଛି। ଅଭିଯୁକ୍ତ କାହ୍ନୁ ଚରଣ ପ୍ରଧାନଠାରୁ ଦାମିକା ମୋବାଇଲ୍ ଫୋନ୍, ଜାଲ୍ ସରକାରୀ ବିଜ୍ଞପ୍ତି / ଅର୍ଡର ଆଦି ଅପରାଧିକ ଦଲିଲ ଜବତ କରାଯାଇଛି। କିଛି ଖବରକାଗଜରେ କିଛି ନକଲି ଚାକିରି ବିଜ୍ଞାପନ ପ୍ରକାଶ କରି ସେ ଠକୁଥିଲା। ନିଜକୁ ଜଣେ ସୂଚନା ଅଧିକାର କର୍ମୀର ପରିଚୟ ଦେଇ ତାର ବରିଷ୍ଠ ଅଧିକାରୀଙ୍କ ସହିତ ଘନିଷ୍ଠତା ଅଛି କହି କ୍ରସର ଲାଇସେନ୍ସ, ମଦ ଲାଇସେନ୍ସ, ସ୍ଥାନାନ୍ତର / ପୋଷ୍ଟିଂ ଆଦି ମାମଲାରେ କୋଟିକୋଟି ଟଙ୍କା ଠକେଇ କରିଥିବା ଜଣାଯାଇଛି। ତାର ଆକାଉଣ୍ଟରୁ କୋଟି କୋଟି ଟଙ୍କାର ନେଣଦେଣ ହୋଇଥିବା ଜଣାଯାଇଛି। ସେ ଥାଇଲ୍ୟାଣ୍ଡକୁ ପଳାଇ ଯାଇଥିଲା। ନିକଟରେ ଓଡ଼ିଶା ଫେରିଥିଲା।

Spread the love