ନୃସିଂହନାଥର ଦାନ ବାକ୍ସରୁ ସବୁ ଟଙ୍କା ନେଇଗଲେ ଦୁର୍ବୃତ୍ତ

ପାଇକମାଳ: ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରର ୩ଟି ଦାନବାକ୍ସ ସହ ମୁଖ୍ୟ ଦାନ ବାକ୍ସର ସବୁ ଟଙ୍କା ଦୁର୍ବୃତ୍ତ ଚୋରି କରିଛନ୍ତି। ବୁଧବାର ରାତି ପ୍ରାୟ ଅଢ଼େଇଟାରେ ତିନି ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଚାଳଧାର ନିକଟସ୍ଥ ଗେଟ୍‌ର ତାଲା ଭାଙ୍ଗି ମୁଖ୍ୟ ଦ୍ବାର ଗେଟ୍‌ ଭାଙ୍ଗି ଭିତରକୁ ପଶିଥିଲେ। ମହାପ୍ରଭୁଙ୍କ ସମ୍ମୁଖରେ ଥିବା ମୁଖ୍ୟ ଦାନବାକ୍ସ ତାଡ଼ି ସବୁ ଟଙ୍କା ନେଇଥିଲେ। ଏଥିସହ ମନ୍ଦିର ଭିତରେ ଥିବା ଆଉ ତିନୋଟି ଦାନ ବାକ୍ସ ମଧ୍ୟ ନେଇ ପଳାଇଛନ୍ତି। ସକାଳେ ପୂଜକମାନେ ମହାପ୍ରଭୁଙ୍କର ନୀତି ପାଇଁ ଆସି ଚୋରି ସଂପର୍କରେ ଜାଣି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କୁ ଜଣାଇଥିଲେ। ଶ୍ରୀ ପ୍ରଧାନ ପାଇକମାଳ ପୁଲିସକୁ ଖବର ଦେଇଥିଲେ। ପଦ୍ମପୁର ଏସ୍‌ଡିପିଓ ବିଭୂତିଭୂଷଣ ଭୋଇ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ସାଇଣ୍ଟିଫିକ୍‌ ଦଳ ସହ ସନ୍ଧାନୀ କୁକୁର ତନାଘନା କରି ଫେରି ଯାଇଥିଲେ। ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ଚୋରି ବେଳର ଦୃଶ୍ୟ ରହିଛି। ୧୯୮୪ ମସିହା ସେପ୍ଟେମ୍ବର ୨୪ ତାରିଖ ରାତିରେ ନୃସିଂହନାଥ ଭଗବାନଙ୍କ ମୂର୍ତ୍ତି ଚୋରି ହୋଇଥିଲା। ବର୍ଷେ ପରେ ସମ୍ବଲପୁର ରେଳଷ୍ଟେସନ୍‌ରୁ ଚୋର ଗିରଫ ହେବା ସହ ମୂର୍ତ୍ତି ଉଦ୍ଧାର ହୋଇଥିଲା। ୧୯୯୭ ମସିହାରେ ମୁଖ୍ୟ ମନ୍ଦିରରୁ କବାଟ ଭାଂଗି ଦାନବାକ୍ସ ଚୋରି ଉଦ୍ୟମ ହୋଇଥିଲା।

Spread the love