ପପୁ ପମ୍‌ପମ୍‌ଙ୍କ ମଞ୍ଚ ଉପରକୁ ପଥର ମାଡ଼

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଗତକାଲି ରାତିରେ ଜାଗରଯାତ୍ରା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥି ହୋଇ ଆସିଥିବା ପ୍ରଖ୍ୟାତ ଓଡ଼ିଆ ହାସ୍ୟାଭିନେତା ପପୁ ପମ୍‌ପମ୍‌ଙ୍କ ମଞ୍ଚ ଉପରକୁ ପଥର ମାଡ଼ ହୋଇଛି। ‌ତେବେ ପଥର ପପୁଙ୍କ କାନ୍ଧର କିଛି ଇଞ୍ଚ ବ୍ୟବଧାନରେ ଯାଇ ଡିଜିଟାଲ୍ ଡିସ୍‌ପ୍ଲେ ବୋର୍ଡ଼କୁ ବାଜିବାରୁ ତାହା ଭାଙ୍ଗି ଯାଇଥି‌ଲା। ଏହାସହ ଆଉ ଏକ ପଥର ମଞ୍ଚ ଉପରେ ଅନ୍ୟ ଜଣେ ଯୁବକଙ୍କୁ ବାଜିଥିଲା। ଫଳରେ ସୁରକ୍ଷା ଦୃଷ୍ଟିରୁ ପପୁ କାର୍ଯ୍ୟକ୍ରମ ଅଧାରୁ ପଳାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ, ଗ୍ରାମରେ ମୁକ୍ତେଶ୍ବର ମହ‌ାଦେବଙ୍କ ଦୁଇଦିନିଆ ଜାଗରଯାତ୍ରା ହେଉଥିବା ବେଳେ ଗତକାଲି ପ୍ରଥମ ରାତି ଥିଲା। ଏଥିପାଇଁ ଦୁଇଦଳ ପକ୍ଷରୁ ରାମାୟଣ ନାଟକ ମଞ୍ଚସ୍ଥ ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ପପୁଙ୍କ ସମେତ କଣ୍ଠଶିଳ୍ପୀ ଶୀତଳ, ଦେବେଶ ଓ ବୈଦ୍ୟନାଥ ପ୍ରମୁଖ ଆକର୍ଷଣ କରିଥିଲେ। ରାତି ପ୍ରାୟ ୧୧ଟା ବେଳ‌େ ପପୁ ମଞ୍ଚ ଉପରକୁ ଆସିଥିଲେ। ସୁରଳ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେବା ସହ ଗ୍ରାମର ନାମକରଣର ଯଥାର୍ଥତା ସମ୍ପର୍କରେ କହିଥିଲେ। ସୁରଳ ଗ୍ରାମବାସୀ ଅତ୍ୟନ୍ତ ସରଳ ଓ ନିଷ୍କପଟ ବୋଲି କହିଥିଲେ। ଏହି ସମୟରେ ହଠାତ୍ କିଛି ଉତ୍ତ୍ୟକ୍ତ ‌‌ଲୋକ ମଞ୍ଚ ଉପରକୁ ପଥରମାଡ଼ ଆରମ୍ଭ କରି ଦେଇଥିଲେ। ତେବ‌େ ପଥର ପପୁଙ୍କ ଦେହ‌ରେ ସୌଭାଗ୍ୟବଶତଃ ନବାଜି ଡିସ୍‌ପ୍ଲେ ବୋର୍ଡ଼ରେ ବାଜିଥିଲା। ଆଖିବୁଜା ପଥରମାଡ଼ ହେବାରୁ ପ୍ରାଣବିକଳରେ ସମସ୍ତେ ଦୌଡ଼ିଥିଲେ। କିଛି ଉତ୍ତ୍ୟକ୍ତ ଯୁବକ ମଞ୍ଚ ଉପରକୁ ଚଢ଼ି ଯାଇଥିଲେ। ପପୁ ମଞ୍ଚ ଉପରେ ସମସ୍ତଙ୍କୁ ବୁଝାସୁଝା କରିବାକୁ ‌ଚେଷ୍ଟା କରିବା ସହ ସ୍ବାଭାବିକ ଭାବେ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ। ଟେକାପଥର ମାଡ଼ ନକରିବାକୁ କହିଥିଲେ। ପରିସ୍ଥିତି ଶାନ୍ତ ପଡ଼ିଲେ ମଞ୍ଚକୁ ଆସିବେ ବୋଲି କହି ପଳାଇଥିଲେ।

ତେବେ କେଉଁ କାରଣରୁ ପଥରମାଡ଼ ହେଲା ଏନେଇ କିଛି ସ୍ପଷ୍ଟ ହୋଇପାରିନି। ପୁଲିସ ଉପସ୍ଥିତିରେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି। କିନ୍ତୁ ପପୁ ରାତି ୯ଟାରେ ପହଞ୍ଚିଥିଲେ ବି ୧୧ଟାରେ ମଞ୍ଚ ଉପରକୁ ଆସିଥିବାରୁ ଦର୍ଶକ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।

Spread the love