ରାଜନୀତି ବନ୍ଦ କର, ନଚେତ କୋର୍ଟକୁ ଯିବୁ : ଟିପୁ ସୁଲତାନଙ୍କ ବଂଶଧର

ବେଙ୍ଗାଲୁରୁ : ଟିପୁ ସୁଲତାନଙ୍କୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବିବାଦ ବଢିବାରେ ଲାଗିଥିବାବେଳେ ଟିପୁ ସୁଲତାନଙ୍କ ବଂଶଧରମାନେ ସାମନାକୁ ଆସିଛନ୍ତି । ଟିପୁଙ୍କୁ ନେଇ ରାଜନୀତି ନ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ନିଜ ନିଜର ରାଜନୀତି ପାଇଁ ଟିପୁଙ୍କ ନାମର ଦୁରୁପଯୋଗ ବନ୍ଦ ନ କଲେ ଆଇନର ଆଶ୍ରୟ ନେବାକୁ ବଂଶଧରମାନେ ଚେତାବନୀ ଦେଇଛନ୍ତି ।

ଟିପୁଙ୍କ ବଂଶଧରଙ୍କ ୭ମ ପିଢି ସାହେବଜାଦା ମନସୁର ଅଲ୍ଲି କହିଛନ୍ତି ଯେ କର୍ଣ୍ଣାଟକରେ ନିର୍ବାଚନ ଆସିଲେ ବିଜେପି ଓ କଂଗ୍ରେସ ଟିପୁ ସୁଲତାନଙ୍କୁ ରାଜନୀତିକୁ ଟାଣୁଛନ୍ତି । ଟିପୁ ସୁଲତାନ ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ ଓ ବ୍ରିଟିଶ ବିରୋଧରେ ଲଢିଥିଲେ ଓ ଦେଶ ପାଇଁ ବହୁତ ଅବଦାନ ଦେଇଯାଛନ୍ତି । କଂଗ୍ରେସ ଦଳ ସଂଖ୍ୟାଲଘୁ ଭୋଟ ପାଇଁ ଟିପୁଙ୍କ ନାମ ବ୍ୟବହାର ବନ୍ଦ କରୁ । ସେହିପରି ବିଜେପି ମଧ୍ୟ ରାଜନୀତି ବନ୍ଦ କରୁ, ନୋଚେତ ଆମେ ମାନହାନୀ ମକଦ୍ଦମା କରିବୁ ବୋଲି ସେ କହିଛନ୍ତି ।

ଗତକାଲି ବିଜେପି ନେତା ନଳୀନ କଟେଲ କହିଥିଲେ ଯେ ଟିପୁ ସୁଲତାନଙ୍କ ବଂଶଧରମାନଙ୍କୁ ଘଉଡାଇ ଜଙ୍ଗଲକୁ ପଠାଯିବା ଉଚିତ  । ଟିପୁ ସୁଲତାନଙ୍କ ସମସ୍ତ ଅନୁଗାମୀ ମାନେ ବଞ୍ଚିବା ଉଚିତ  ନୁହେଁ । ଆମେ ଭଗବାନ ରାମ ଓ ହନୁମାନଙ୍କ ଭକ୍ତ। ଆମେ ଟିପୁ ସୁଲତାନଙ୍କ ବଂଶଧର ନୁହଁ । ଆମେ ଟିପୁଙ୍କ ବଂଶଧରମାନଙ୍କୁ ଫେରାଇ ଦେଇଛୁ । ସେଥିପାଇଁ ମୁଁ ୟେଲବୁର୍ଗାବାସୀଙ୍କୁ ପଚାରୁଛି ଯେ ସେମାନେ ହନୁମାନଙ୍କୁ ପୂଜା କରିବେ ନା ଟିପୁ ସୁଲତାନଙ୍କ ଭଜନ ଗାଇବେ?

Spread the love