ମଦିରାଳୟ…

ଏହି ମଦିରାଳୟ ଦେଇ ମୁଁ ରୋଜ ଯାଅଆସ କରେ । ମୁଖ୍ୟରାସ୍ତାଠାରୁ କିଛି ଦୂରରେ ମଦିରାଳୟ । ଅନ୍ଧାରରେ ଛିଡ଼ାହୋଇ ଦେଖିଲେ ଝରକା ସନ୍ଧିରୁ ଟିକେ ଟିକେ ଆଲୁଅ ଦିଶେ । ବେଳେ ବେଳେ ଧୁଆଁ ବି । ସେଠାକୁ ଦାସବାବୁ ପ୍ରାୟତଃ ଆସନ୍ତି । ବଡ଼ପାଟି ତାଙ୍କର । ହସ ଶୁଭେ । ଟାହିଟାପରା ବି ଶୁଭେ । ମୁଁ ଭାବିନିଏ ଏଠି ସବୁ ଠିକ୍ ଠାକ୍ ଚାଲିଛି । ମଦ ସାଥିରେ ସିଗାରେଟ୍ ଜଳିଲା ପରି ଦୁଃଖ ସବୁ ଜଳିଯାଏ । ବଳିପଡେ ସିଗାରେଟର ନିମ୍ନାଂଶ ପରି ପାଣିଚିଆ ନିଶା । ଆଜି ମଦିରାଳୟ ବନ୍ଦ ବୋଧେ । ଏଇଟା କ’ଣ ସରକାରୀ ଅଫିସ ଯେ ବନ୍ଦ ହୋଇଯିବ । ଆଜି କାଣିଚାଏ ଆଲୁଅ ବି ଦିଶୁନି କି ଶବ୍ଦ ବି ଶୁଭୁନି । ଏଇ କଥା ଭାବି ବେଶ୍ କିଛି ସମୟ ସେଠି ଠିଆହେଲି । ତା’ପରେ ପାଖକୁ ଯିବାକୁ ଚେଷ୍ଟା କଲି, ଦେଖାଗଲା ଅଳ୍ପ ଦୂରରେ ଦୁଇଟି ନିଆଁ ଖଣ୍ଡ । ନିଆଁ ଧିମା ହୋଇ ପୁଣି ବଢି ଯାଉଥାଏ । ସେଠି ବାଘ ନା ବିଲେଇ । ଡରି ଡରି ଟିକେ ଆବାଜ୍ ଦେଲି । ଦାସବାବୁ କି? ଆଉ ଦି ପାଦ ଆଗେଇଲି । ଯଦି ସେଠି ଦାସ ବାବୁ ତେବେ ଆର ଜଣଙ୍କ କିଏ? ଉତ୍ତର ଆସିଲା ହଁ । କିଏ ମଲ୍ଲିକ ବାବୁ ଆସନ୍ତୁ । ଆପଣଙ୍କୁ ଆମ ମଦିରାଳୟକୁ ସ୍ୱାଗତ । ହଠାତ୍ କଣ୍ଠସ୍ୱରରୁ ଜାଣିପାରିଲିନି । ଟିକେ ଦୂରରୁ ପଚାରିଲି ବିଡ଼ି ଜଳାଉଛ ନା ସିଗାରେଟ୍? ନିଦା କଣ୍ଠରେ ଉତ୍ତର ଆସିଲା ନିଆଁ ସିନା ସିଗାରେଟରେ ଲାଗିଛି ହେଲେ ଜଳୁଛି ମୁଁ । ଏଥର ନିଶ୍ଚିତ ହୋଇଗଲି ସେ ଦାସବାବୁ । ପାଖକୁ ଯାଇ ବସିପଡ଼ିଲି । ଜଳି ଉଠିଲା ୩ଟି ନିଆଁଖଣ୍ଡ । ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା ୩ଟି ସିଗାରେଟ୍ । ମୁଁ ଧିର କଣ୍ଠରେ କହିଲି, ଦାସ ବାବୁ ମୁଁ କେବେ ସିଗାରେଟ୍ ଟାଣେନି । ଏଗୁଡ଼ାକ ମୋର ପସନ୍ଦ ନୁହେଁ । ମୁଁ ପାରିବିନି । ତାହେଲେ କେନ୍ ଗୋଟେ ଅଛି ନେବ । ହୁଏତ ଆଉ ଏ ସମୟ ଆସିବନି କହିଲେ ଦାସବାବୁ । ଆସ ଆମ ଖୁସିରେ ଟିକିଏ ଖୁସି ହୋଇଯିବ । ପୁଣି ଉଚ୍ଚ ସ୍ୱର ଶୁଭିଲା ଦାସ ବାବୁଙ୍କର । ଚିୟର୍ସ । ମୁଁ କହିଲି ଧିରେ କୁହ ଦାସ ବାବୁ । ଦାସ ବାବୁ କହିଲେ, ଆଲୁଅରେ ସିନା ସୁଖ ବାଣ୍ଟି ହୁଏ ଅନ୍ଧାରରେ ଦୁଃଖ ବାଣ୍ଟିଲେ ଅସୁବିଧା ବା କ’ଣ? ତାହେଲେ ଦିଅନ୍ତୁ ବନ୍ଧୁ ରାଣ ନରଖିବି କେମିତି? ନିଦୁଆ ମହଲରୁ କେନ୍ ଗୋଟେ ଧରି ନାକ ବନ୍ଦ କରି ଗୋଟାଏ ଢୋକ ନେଲି । ଆକାଶ ଆଡକୁ ଆଖି ଚାଲିଗଲା ।

ଆକାଶରେ ଧଳା ମେଘ ତା’ ସାଙ୍ଗକୁ ଲିଭି ଯାଉଥିବା ନାଲି ଜହ୍ନ । ମେଘ ଗୁଡ଼ାକ ପ୍ରତିଯୋଗୀତା ଲଗାଇବା ପରି ଆଗକୁ ଆଗକୁ ବଢି ଯାଉଛନ୍ତି । ଯେମିତି ସେମାନେ ଜହ୍ନକୁ ଛୁଇଁବାକୁ ପ୍ରତିଯୋଗୀତା କରୁଛନ୍ତି । ଅଳ୍ପ ଆକାଶରେ ଉଡ଼ାଜାହାଜଟେ ଉଡିଗଲା । ହସ ଲାଗିଲା । ଫୁ କିନା ହସିଦେଲି । ଦାସ ବାବୁ ଓ ରାକେଶ ବାବୁ ଦୁହେଁ ଏକାବେଳେ କହିପକାଇଲେ ଗୋଟାଏ ପେକରେ ଚଢିଗଲା । ମୁଁ କହିଲି ନାଇଁମ । କିଛି ପୁରୁଣା କଥା ମନେପଡ଼ିଗଲା । ସୋମାକ୍ ଓ ମୁଁ ଲିଙ୍ଗରାଜ ବେଢାରେ ବସିଥାଉ । ସୋମାକ୍ ମୋତେ ଦେଖାଇ ଦେଇ କହୁଥାଏ ହେଇ ଦେଖ ହେଲିକାପ୍ଟର ଯାଉଛି । ଆଖି ଟିକେ ଜକେଇ ଆସିଲା । ରାକେଶ ବାବୁ କହିଲେ, ସୋମାକ୍ କ’ଣ ତୁମ ପ୍ରେମିକା? କିଛି ନ କହି ମୁଁ ଆଉ ଗୋଟାଏ ଢୋକ ନେଲି । ଢୋକଟି ସହିତ ସ୍ମୃତିଟିକକ ଯେମିତି ପିଇଦେଲି । କହିଲି ବସନ୍ତର ମଳୟ ଯାଗାରେ ବୈଶାଖୀର ତାତି ସହି ହୁଅନ୍ତା ବା କିପରି? ଗଡ଼୍ ପ୍ରମିସ୍ କରିଥିଲା ସବୁ ଭୁଲିଗଲା.. . . . .  । ଦାସ ବାବୁ କହିଲେ ଏଇ ନିଅ ଭୋଲା ବାବା ସବୁ ଭୁଲି ଯିବ । ଏତିକି କହି ଦାସ ବାବୁ ମୋ  ହାତକୁ ସିଗାରେଟଟିଏ ବଢାଇ ଦେଲେ । ପିତା ଔଷଧ ଗିଳିଲା ପରି ଥରେ ମୁଁ ଟାଣିନେଲି । ସିଗାରେଟଟା ଥୋଇଦେଇ କହିଲି , ମୁଁ ନିଶା ସେବନ କରେନି ।
ହୋସରେ ଅବା ବେହୋସରେ ରାକେଶ ବାବୁ ପ୍ରେମ ସମ୍ପର୍କିତ କେଇପଦ କଥା କହିଲେ । ପ୍ରେମ ଏକ ମନ୍ଦିର । ପ୍ରେମିକା ଜଣେ ଦେବୀ । କାମନା ନରଖି ଭଲ ପାଇଚାଲ ନିଃସ୍ୱାର୍ଥପର ଭାବରେ । ଯେବେ ଦେବୀ ତୁମ ମନସ୍କାମନା ପୂରା କରିଦେବେ ହୁଏତ ତୁମେ ପୂଜା କରିବା ବନ୍ଦ କରିଦେବ । ଆଉ କେବେ ମନ୍ଦିର ଯିବନି କି ଭକ୍ତିଆଖିରେ ଦେଖିବନି  । ତମେ ତମ ଦେବୀକୁ କ’ଣ ହରଣ କରିପାରିବ? ରେପ୍ କରିପାରିବ । ଯଦି ପ୍ରଲୋଭନ ଦେଖାଇ ରେପ୍ କଲ ତେବେ ସିଏ ତୁମ ପ୍ରେମିକା ନୁହେଁ ଧର୍ଷିତା ପାଲଟିଯିବ । ତମେ ତାଙ୍କୁ ପ୍ରେମିକା ଭାବରେ ଦେଖିବାକୁ ଚାହଁ ନା ଧର୍ଷିତା? ନିଷ୍ପତ୍ତି ଆପଣଙ୍କର । ଶରୀରକୁ ଜୀବିତ ରଖିବା ପାଇଁ ନିଃଶ୍ୱାସ ଲୋଡ଼ା । ଠିକ୍ ସେମିତି ବଞ୍ଚିବାକୁ ପ୍ରେମ ଲୋଡ଼ା ବୋଲି ମୁଁ ଜାଣେ । ରାକେଶ ବାବୁଙ୍କର ଏହି ନିଶାଯୁକ୍ତ କେଇପଦ ବାକ୍ୟ ଯେମିତି ହୃଦୟକୁ ଛୁଇଁଗଲା ।
ସୋମାକର ନିଶା ବିୟର ନିଶାଠାରୁ ଆହୁରି ମତୁଆଲା ଥିଲା । ଚାହିଁଲେବି ବିତା ମୂହୁର୍ତକୁ ଭୂଲିହେଉନଥାଏ । ମୁଁ କେନରୁ ଅଧା ବି ପିଇ ପାରିଲିନି । ଦାସ ବାବୁ କହିଲେ ଆରେ ମଲ୍ଳିକ ବାବୁ ଅଧା ପିଇଲ ଯେ, ସାରିପାରିଲନି, ଅଧାରୁ ଛାଡ଼ିଦେଲ । କହିଲି ହଁ ଦାସ ବାବୁ ଆଉ ପାରିଲିନି ।

ସେ କହିଲା ଭୁଲିଯାଅ ମୁଁ ଆଉ ମୁଁ ଚେଷ୍ଟାକରୁଛି । ପ୍ରତିଦିନ ଟିକେ ଟିକେ ମନେ ପକାଇ । ମୋ ସାଥୀରେ ନୁହେଁ ଆଉ କାହା ସାଥିରେ  । ଏତିକି କହି ମୁଁ ଆଉ ଗୋଟିଏ ଢୋକ ନେଲି । ନା ଆଉ ପାରୁନି ଦାସ ବାବୁ ଆଉ ପିଇପାରିବିନି । ସରାବ ସରବତ୍ ହୋଇପାରିଲାନି । ସରାବ ହୋଇ ରହିଗଲା । ମୁଁ ସରାବୀ ନୁହେଁ ଦାସ ବାବୁ । ରାକେଶ ବାବୁ ପୁଣି ପଚାରିଲେ ସେ ସୋମାକ୍ କିଏ? ନାଁ ନା ଏକ ଅନୁଷ୍ଠାନ? ରାକେଶ ବାବୁ,  ଯଦି ସିଏ ଅନୁଷ୍ଠାନ ହୋଇଥାଆନ୍ତା ତେବେ ମୁଁ ତା’ ଅଗଣାରେ ଆଡମିଶନ ନେଇଯାଇଥାଆନ୍ତି । ସେ ପରା ଜଣେ ମଣିଷ । ମୋ ଗପର ନାୟିକା ସିଏ । ମୋ ହୃଦୟର ସ୍ପନ୍ଦନ । ମୋ ମନ ଆକାଶରେ ପୂର୍ଣ୍ଣମୀ ଜହ୍ନ ଆଉ ମୋ ଶୀତ ସକାଳର ଅଭଙ୍ଗା ନିଦ । ଦିନେ ସେ ଚିଲିକା ପକ୍ଷୀ ଭଳି ଆସିଥିଲା ସମୟ ପୂର୍ବରୁ ବସନ୍ତର ମଳୟରେ କୁଆଡ଼େ ଉଡିଗଲା । ମୃଗ ତୃଷ୍ଣାନୟନରେ କେତେ ମିଠାମିଠା ସ୍ୱପ୍ନ ସଜେଇ ଥିଲା, ବାଲିଘର ଭଳି ଭାଙ୍ଗିଦେଇ ଚାଲିଗଲା ।

ଦୀର୍ଘ ୬ମାସ ହୋଇଗଲା…..
ମୁଁ ଏଇବାଟେ ଆତଯାତ କରେ । ପ୍ରତିଦିନ ହସ ଟାହିଟାପରା ଶୁଣେ ପୁଣି ଫେରିଯାଏ । ଆଜି ମଦିରାଳୟ ପରିସର ଅନ୍ଧାର ଥିଲା । ଭାବିଲି କେହି ନାହାଁନ୍ତି ବୋଧେ । ସେଥିପାଇଁ ଚାଲି ଆସିଲି । ପ୍ରତିଦିନ  ପିଇବାର ସଉକ ନାହିଁ ।
  ମୋ-୭୫୦୪୨୮୫୪୯୩

Spread the love