ବିଶ୍ୱ ପୁନର୍ଗଠନ ପ୍ରକ୍ରିୟାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ: ମୋଦି

ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କରୋନା ମହାମାରୀ ପାଇଁ ବିଶ୍ୱ ଯେଉଁ କ୍ଷତିରେ ରହିଛି ତାହାକୁ ପୁନରୁଦ୍ଧାର କରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ। ଗୁରୁବାର ‘ଇଣ୍ଡିଆ ଗ୍ଲୋବାଲ ସପ୍ତାହ 2020’ ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଏହା କହିଛନ୍ତି ମୋଦି।

ବ୍ରିଟେନ୍ ଦ୍ୱାରା ଆୟୋଜିତ ଏହି ଡିଜିଟାଲ୍ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭରଶୀଳ ଭାରତ’ ଉପରେ ଏକ ଉପସ୍ଥାପନା ଦିଆଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ଭାରତର କମ୍ପାନୀଗୁଡିକ ଦ୍ୱାରା କରାଯାଇଥିବା ଉତ୍କୃଷ୍ଟ କାର୍ଯ୍ୟର ଏହା ଏକ ଝଲକ ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଭାରତ ପାଖରେ ଦୁଇଟି ଜିନିଷ ରହିଛି। ଯାହାକି ବିଶ୍ୱର ଅର୍ଥନୀତିକୁ ପୁନରୁଦ୍ଦାର କରିବାରେ ସହାୟକ ହେବ। ଗୋଟିଏ ହେଉଛି ଭାରତୀୟଙ୍କ ପ୍ରତିଭା, ଦ୍ୱିତୀୟଟି ଦକ୍ଷତା। ଭାରତର ପ୍ରତିଭା ଏବଂ ଦକ୍ଷତାର ଉଦାହରଣ ପୂର୍ବରୁ ସାରା ବିଶ୍ୱ ଦେଖିଛି। ଭାରତର ବୈଷୟିକ ଶିଳ୍ପ ଏବଂ ବୈଷୟିକ ବୃତ୍ତିଗତମାନଙ୍କ ଅବଦାନ ସାରା ବିଶ୍ୱ ଜାଣିଛି। ଦଶନ୍ଧି ଧରି ଭାରତୀୟ ମାନେ ଏହି ପଥରେ ଆଗେଇ ଆସୁଛନ୍ତି। ଭାରତ ହେଉଛି ପ୍ରତିଭାର ଏକ ଶକ୍ତି କେନ୍ଦ୍ର, ଯାହା ସହଯୋଗ କରିବାକୁ ଆଗ୍ରହୀ।

କରୋନା ଭାଇରସ୍ ମହାମାରୀ ଏବଂ ଭାରତର ଅର୍ଥନୀତି ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଇତିହାସ ଦର୍ଶାଏ ଯେ ସାମାଜିକ କ୍ଷେତ୍ରରେ ହେଉ ଅବା ଅର୍ଥନୀତି ଭାରତ ପ୍ରତ୍ୟେକ ଆହ୍ୱାନକୁ ଅତିକ୍ରମ କରିଛି। ଗୋଟିଏ ପଟେ ଭାରତ ବିଶ୍ୱ ମହାମାରୀ ବିରୋଧରେ ଦୃଢ଼ ଭାବରେ ଲଢ଼େଇ କରୁଛି। ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ସହିତ ଦେଶର ଅର୍ଥନୀତୀକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନଜର ଦେଉଛୁ।

ଯାହା ଅସମ୍ଭବ ବୋଲି ବିଚାର କରାଯାଏ, ତାହା ହାସଲ କରିବାରେ ଭାରତୀୟ ଧୁରନ୍ଦର। ପୂର୍ବରୁ ଭାରତ ଏମିତି ଅନେକ କରିଛି ବୋଲି ମୋଦି କହିଛନ୍ତି। କରୋନା ମହାମାରୀ ବେଳେ ଭାରତର ଔଷଧ ଶିଳ୍ପ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ସମ୍ପତ୍ତି ଭାବେ କାର୍ଯ୍ୟକାରୀ କରିଛି। ବିଶେଷକରି ବିକାଶଶୀଳ ଦେଶମାନଙ୍କ ପାଇଁ ଔଷଧର ମୂଲ୍ୟ ହ୍ରାସ କରିବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଭାରତ ହେଉଛି ବିଶ୍ୱର ସବୁଠାରୁ ଖୋଲା ଅର୍ଥନୀତି। ଆମେ ସମସ୍ତ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକୁ ଭାରତ ଆସି ସେମାନଙ୍କ ଉପସ୍ଥିତି ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ କରୁଛୁ ବୋଲି ମୋଦି କହିଛନ୍ତି।

Spread the love