ରାସ୍ତା ନିର୍ମାଣ ହୋଇଛି ମାତ୍ର ନିମ୍ନମାନର ଚିପସ, ମେଟାଲ ପିଚୁରେ
ହରଭଙ୍ଗା: ବହୁଦିନର ଦାବୀ ପରେ ଗାଁକୁ କୋଟି କୋଟି ଟଙ୍କା ଅନୁଦାନରେ ତିଆରି ହେଉଛି ରାସ୍ତା। ରାସ୍ତା ନିର୍ମାଣ କାର୍ଯ୍ୟ ଦେଖି ଏହି ରାସ୍ତା ଉପରେ ନିର୍ଭର କରୁଥିବା ପାଞ୍ଚ/ଛଅ ଖଣ୍ଡ ଗାଁ ଲୋକଙ୍କ ମନରେ ଖୁସି କହିଲେ ନସରେ। ମାତ୍ର ଗାଁ ପରିମଳ ଧୋବା ତୋଠରୁ ପରିକା ରାସ୍ତା କାର୍ଯ୍ୟ ପ୍ରାରମ୍ଭରୁ ନିମ୍ନମାନର ଚିପସ, ମେଟାଲ ପିଚୁରେ ରାସ୍ତାକାର୍ଯ୍ୟ କରାଯିବାକୁ ନେଇ ସ୍ଥାନୀୟ ଯୁବ ସଚେତନ ନାଗରିକ ଠିକାଦାର ପୋଷାନୀତିରେ ଚାଲିଥିବା କାର୍ଯ୍ୟକୁ ବିରୋଧ କରିଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ପୂର୍ତବିଭାଗ ରାସ୍ତାଠାରୁ ଜାମ୍ମୁପଦର ପର୍ଯ୍ୟନ୍ତ ନିର୍ମାଣାଧିନ ଥିବା ଦୀର୍ଘ ୭ କିଲୋମିଟର ରାସ୍ତା କାର୍ଯ୍ୟରେ। ପ୍ରକାଶ ଯେ, ଗ୍ରାମ୍ୟ ନିର୍ମାଣ ବିଭାଜନ ବୌଦ୍ଧ ଅଧିନରେ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୩୯୪.୮୯ଲକ୍ଷ ଟଙ୍କା ବ୍ୟୟ ବରାଦରେ ପୂର୍ତବିଭାଗ ରାସ୍ତାଠାରୁ ଜାମ୍ମୁପଦର ପର୍ଯ୍ୟନ୍ତ ଦୀର୍ଘ ୭କିମି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ୨୨ଜାନୁୟାରୀ ୨୦୨୧ରୁ କାର୍ଯ୍ୟ ଆରମ୍ଭ ହୋଇ ୨୨ଜାନୁୟାରୀ ୨୦୨୨ ଏକ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷପାଇଁ ସମୟ ଧାର୍ଯ୍ୟ ରହିଛି। ମାତ୍ର ଏକ ବର୍ଷ ପରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ।ଅନ୍ୟପଟେ ଦୀର୍ଘ ୭କିମି ରାସ୍ତା ମଧ୍ୟରୁ ଗତ ପାଞ୍ଚ ଦିନତଳେ ପିଚୁ ହୋଇଥିବା ଦୀର୍ଘ ୨କିମି ରାସ୍ତାରୁ ହାତ ମାରିଲେ ପିଚୁ ଉଠିଯାଉଛି। ଏହାର ନିର୍ମାଣ କାର୍ଯ୍ୟ ଯନ୍ତ୍ରୀ ଠିକଦାର ମଧୁଚନ୍ଦ୍ରିକାରେ ଚାଲିଥିବା ସ୍ଥାନୀୟ ଯୁବ ସଚେତନ ନାଗରିକ ବିପିନ ଠାକୁର, ଅକ୍ଷୟ ଦାସ, ଗଗନ ଦେହୁରୀ, ବାଦଲ ବେହେରା, ସୌରଭ ଦାସ, ଉତ୍କଳ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ନିର୍ମାଣକାର୍ଯ୍ୟ ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ସଚେତନ ନାଗରିକମାନେ ବିଭାଗୀୟ କମିଶନରଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି। ତୁରନ୍ତ ଏ ଦିଗରେ ବିଭାଗୀୟ କତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ଉଠୁଛି।